ବିଲରେ କାମ କରୁଥିବାବେଳେ କାମୁଡ଼ିଲା ନାଗ, ସାପ ଧରି ମେଡିକାଲରେ ପହଞ୍ଚିଲେ ଯୁବକ

ଉମରକୋଟ: ଜମିରେ କାମ କରୁଥିବାବେଳେ କାମୁଡିଦେଲା ନାଗସାପ । କାଳବିଳମ୍ବ ନକରି ସାହସ ଜୁଟାଇ ସାପଟିକୁ କାବୁକଲେ ପୀଡିତ । ଖାଲି କାବୁ କଲେନି ବାଇକରେ ଏହାକୁ ଧରି ପହଞ୍ଚିଗଲେ ମେଡିକାଲରେ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଞ୍ଚଳରେ । ଏହି ସାହସୀ ଯୁବକ ଜଣଙ୍କ ହେଲେ ଝରିଗାଁ ପଞ୍ଚାୟତ ଛୋଟାଗୁଡା ଗାଁର ସୁଧାଂଶୁ ସିଲ । ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡିଛି।

 

ସୂଚନା ଅନୁସାରେ,  ସୁଧାଂଶୁ ନିଜ ଜମିରେ କାମ କରୁଥିଲେ । ଏହି ସମୟରେ ଏକ ନାଗସାପ ତାଙ୍କୁ କାମୁଡି ଦେଇଥିଲା । ସାପଟି ଘଟଣାସ୍ଥଳରୁ ଚାଲି ଯାଉଥିବା ବେଳେ ସୁଧାଂଶୁ ଏହାକୁ ତୁରନ୍ତ ଧରି କାବୁ କରିଥିଲେ । କିଛି ଅଘଟଣ ଘଟିବା ପୂର୍ବରୁ ସୁଧାଂଶୁ ସାପଟିକୁ ଧରି ବାଇକ୍ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଯାଇଥିଲେ ।

ବିନା ଦ୍ୱିଧାରେ ସୁଧାଂଶୁ ସାପଟିକୁ ଧରି ନିଜର ଚିକିତ୍ସା ପାଇଁ ଡାକ୍ତରଙ୍କୁ କହିଥିଲେ । ସାପଟିକୁ ଦେଖି ମେଡିକାଲ କର୍ତ୍ତୃପକ୍ଷ ପ୍ରଥମେ ଭୟଭୀତ ହୋଇ ପଡିଥିଲେ । ପରେ ସୁଧାଂଶୁଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସା ପରେ ସେ ବିପଦମୁକ୍ତ ଥିବା ସମ୍ପୃକ୍ତ ଡାକ୍ତର ସୂଚନା ଦେଇଛନ୍ତି କହିଛନ୍ତି ।

Leave a Reply