ଯାଜପୁରରେ ଅଜବ ମଣିଷ: ବିଷାକ୍ତ ସାପକୁ କାମୁଡ଼ି ମାରିଲେ, ରକ୍ତ ପିଇଦେଲେ..

ଯାଜପୁର: ସାପ କାମୁଡିଲା ବୋଲି ସେ ବି ସାପକୁ କାମୁଡିଦେଲେ । କଥାଟି ଅଡ଼ୁଆ ଲାଗୁଥିଲେ ବି ସତ  । ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ିଥିଲା, କିନ୍ତୁ ଉକ୍ତ ବ୍ୟକ୍ତି ଜଣଙ୍କ ସାପକୁ କାମୁଡ଼ିଦେବା ଖବର ନିହାତି ପ୍ରଥମେ ଶୁଣୁଥିବେ  । କାରଣ ଏଭଳି ଘଟଣା ସତରେ ଆଶ୍ଚର୍ଯ୍ୟଜନକ  । ଏମିତି ଘଟଣା ଘଟିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଶାଳିଜଙ୍ଗା ପାଞ୍ଚୟତର ଗମ୍ଭାରୀପାଟିଆ ଗ୍ରାମରେ ।

ଏହି ଗ୍ରାମର ୪୫ ବର୍ଷୀୟ କିଶୋର ବଦରା ଗତକାଲି ସନ୍ଧ୍ୟାରେ ନିଜ ଚାଷ ଜମିରୁ ଫେରିବା ସମୟରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଫଳରେ କିଶୋର ସାପଟିକୁ ଉତକ୍ଷିପ୍ତ ହୋଇ ଧରି ପକାଇଥିଲେ  । ଏବଂ କାହିଁକି ସାପ କାମୁଡ଼ିଲା ବୋଲି, ପ୍ରତିଶୋଧ ପରାୟଣ ହୋଇ ସେହି ସାପଟିକୁ ଅତି ନିର୍ମମ ଭାବେ ନିଜ ଦାନ୍ତରେ କାମୁଡି ମାରିଦେବା ସହ ସାପର ରକ୍ତ ପିଇଦେଇଥିବା ଜଣାପଡ଼ିଛି  ।

ଏହାପରେ ସାପଟିକୁ ନଫୋପାଡ଼ି ଗାଁ ଧରି ଆସିଥିଲେ  ।  ଘଟଣା ସମ୍ପର୍କରେ ନିଜ ପରିବାର ଓ ଗାଁ ଲୋକଙ୍କୁ ମଧ୍ୟ ଜଣାଇଥିଲେ ବଦରା । ପରେ ଗାଁ ଲୋକେ ତାଙ୍କୁ ମେଡିକାଲ ଯିବାକୁ ପରାମର୍ଶ ଦେଇଥିଲେ  । କିନ୍ତୁ ସାପକୁ କାମୁଡ଼ିଦେଇଥିବା ବ୍ୟକ୍ତି ଜଣଙ୍କ  କୌଣସି ସମ୍ପର୍କୀୟଙ୍କ କଥାକୁ  ଶୁଣି ନଥିଲେ । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁ ନିକଟରେ ଥିବା ଜଣେ ଗୁଣିଆ ପାଖକୁ ଯାଇ ଝଡ଼ା ଫୁଙ୍କା କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବିଷାକ୍ତ ସାପ ଉକ୍ତ ବ୍ୟକ୍ତିଙ୍କୁ କାମୁଡ଼ିବା ଏବଂ ପରବର୍ତ୍ତୀ ସମୟରେ ବ୍ୟକ୍ତି ଜଣଙ୍କ ମଧ୍ୟ ସାପକୁ କାମୁଡ଼ିଦେଇଥିଲେ  । ତଥାପି ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି।

Leave a Reply