ପଶ୍ଚିମବଙ୍ଗରେ ମମତା ମ୍ୟାଜିକ, ଦିଦିଙ୍କ ଖେଳରେ ମୋଦି ଆଉଟ

1 min read

କୋଲକାତା: ଖେଲୋ ହବେ ନା ବିକାଶ ହବେ । ଦିଦି ଓ ଦିଦି… । ସମସ୍ତ ଭାଷଣବାଜି, ବୟାନବାଜି, ଆକ୍ଷେପ, ପ୍ରତିଆକ୍ଷେପର ଅନ୍ତ ଘଟିଛି । ପୁଣିଥରେ ବେଙ୍ଗଲରେ ଦିଦିଙ୍କ ଟିଏମସି ରେକର୍ଡ ରଚିଛି । ମୋଦିଙ୍କ ଚିତ୍କାର, ଶାହାଙ୍କ ହୁଙ୍କାର ଏବଂ ନଡ୍ଡାଙ୍କ ରୋଡ ସୋକୁ ଅଧା ରାସ୍ତାରେ ଅଟକାଇ ଦେଇଛନ୍ତି ଦିଦି । ଅବକୀ ବାର ୨୦୦ ପାରର ନାରା ଦେଉଥିବା ବିଜେପି ତିନିଅଙ୍କ ଛୁଇଁବାରେ ବି ବିଫଳ ହୋଇଛି । ମା, ମାଟି, ମନୁଷର ନାରା ଦେଇ ୨୦୧୧ ମସିହାରେ ଦିଦି ବାମଦଳକୁ ଗାଦିତ୍ୟୁତ କରି କ୍ଷମତା ଅକ୍ତିଆର କରିଥିଲେ । କିନ୍ତୁ ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ସ୍ୱତେ ପଶ୍ଚିମବଙ୍ଗ ଟିଏମସିର ଗଡ଼ ବୋଲି ପୁଣି ଥରେ ପ୍ରମାଣିତ କରିଦେଲେ । ୨୦୫ରୁ ଅଧିକ ଆସନରେ ବାଜିମାତ କରିବା ସହ ହ୍ୟାଟ୍ରିକ ରଚିଛି ଦିଦିଙ୍କ ଦଳ ଟିଏମସି ।

୨୦୧୪ ମସିହାରେ ସାରା ଦେଶରେ ମୋଦି ଲହରୀ । ପ୍ରଥମକରି ପ୍ରଧାନମନ୍ତ୍ରୀ ହୁଅନ୍ତି ନରେନ୍ଦ୍ର ମୋଦି । ଠିକ ତାହାର ଦୁଇ ବର୍ଷ ପରେ ଅର୍ଥାତ ୨୦୧୬ ମସିହାରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହୁଏ । କିନ୍ତୁ ଦୁଇ ଅଙ୍କ ଛୁଇଁ ପାରେ ନାହିଁ । ଅବଶ୍ୟ ପୂର୍ବରୁ ବେଙ୍ଗଲରେ ବିଜେପିର ଖାତା ଖତିଆନା ନଥିବାବେଳେ ପ୍ରଥମକରି ତିନୋଟି ଆସନରେ ଖାତା ଖୋଲେ ଦଳ । ବାମଗଡରେ ମଧ୍ୟ ବିଜେପି ୩ ଆସନରେ ପଦ୍ମ ପୁଟାଏ । କିନ୍ତୁ ସେଠାରେ କଂଗ୍ରେସ ୪୪ ଆସନରେ ବିଜୟୀ ହେବା ସହ ବିରୋଧି ଦଳର ଭୂମିକା ନିଭାଏ । ଲେଫ୍ଟଫ୍ରଣ୍ଟ ସିପିଆଇଏମ ମଧ୍ୟ ୨୬ ଆସନ ନିଏ । ୨୦୨୧ ନିର୍ବାଚନ ସମ୍ପୂର୍ଣ୍ଣ ଓଲଟା ଫଳାଫଳ ଦିଏ ।

୨୦୧୯ ମସିହା ଲୋକସଭା ନିର୍ବାଚନରେ ବିଜେପିକୁ ବେଙ୍ଗଲରେ ମିଳିଥିବା ଜନାଦେଶ ସରକାର ଗଢିବାକୁ ସାହାସ ଜୁଟାଏ । ଯାହାକୁ ନେଇ ବିଜେପିର ପ୍ରସ୍ତୁତ କରେ ରଣନୀତି । କେନ୍ଦୀୟ ନେତାଙ୍କ ତୁହାକୁ ତୁହା ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ଏକାଧିକ ସଭା । ଗୃହମନ୍ତ୍ରୀଙ୍କ ରୋଡ ସୋ । ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ୨୦୦ ପାର ନାରା ନେଇ ଦଳ ମଇଦାନକୁ ଓହ୍ଲାଏ । ସମସ୍ତ ୨୯୨ ଆସନରେ ପ୍ରାର୍ଥୀ ଦେଇ ସରକାର ଗଢିବାର ଦାବିଦାର ବୋଲି ଘୋଷଣା କରେ ବିଜେପି । କିନ୍ତୁ ଆଜିର ଫଳାଫଳ ପୁନର୍ବାର ପ୍ରମାଣିତ କରିଦେଇଛି ବେଙ୍ଗଲରେ କେବଳ ଖେଲୋ ହବେ । ଅର୍ଥାତ ମା-ମାଟି-ମନୁଷର ନାରା ଲଗାଇ ଗାଦିକୁ ଆସିଥିବା ଦିଦିଙ୍କୁ ପଶ୍ଚିମବଙ୍ଗବାସୀ ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି ।

ଗୋଟେପଟେ ଅନ୍ତିମ ପର୍ଯ୍ୟାୟ ଭୋଟଗଣତି ଜାରି ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ କମିସନ ଜାରି କରିଥିବା ଫଳାଫଳ ପ୍ରମାଣିତ କରିଦେଇଛି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ହିଁ ସରକାର ଗଢିବାକୁ ଯାଉଛନ୍ତି । ନିର୍ବାଚନ ହୋଇଥିବା ସମୁଦାୟ ୨୯୨ ଆସନ ମଧ୍ୟରୁ ୨୦୫ ଆସନରେ ଟିଏମସି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେପଟେ ବିଜେପିର ୨୦୦ ପ୍ଲସ ସ୍ଳୋଗାନ ୯୦ ଭିତରେ ସିମୀତ ରହିଯାଇଛି । ଶହେ ମଧ୍ୟ ଅତିକ୍ରମ କରିବା ଦଳ ପାଇଁ ଅତ୍ୟନ୍ତ କଷ୍ଟକର ହେବ । କିନ୍ତୁ ୨୦୧୬ ମସିହାରେ କଂଗ୍ରେସ ପାଇଥିବା ୪୪ ଆସନ ଏଥର ୧କୁ ଖସି ଆସିଛି । ବାମଦଳର ୨୬ ସିଟ ମଧ୍ୟ ବିଜେପିରେ ବିଲୀନ ହୋଇଯାଇଛି । ଅର୍ଥାତ କହିବାକୁ ଗଲେ କେବଳ ଗୋଟିଏ ଆସନରେ କଂଗ୍ରସ ଏବଂ ସିପିଏଇଏମ ସମର୍ଥିତ ପ୍ରାର୍ଥୀ ଜିତିଥିବା ଜଣାପଡିଛି ।

Leave a Reply