ମମତା ବାନାର୍ଜୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା, ମାମଲା ଶୁଣାଣିରୁ ନିଜକୁ ଅଲଗା କଲେ ହାଇକୋର୍ଟ ବିଚାରପତି

1 min read

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ କୋଲକତା ହାଇକୋର୍ଟ ୫ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛନ୍ତି । ଏହା ସହିତ ନନ୍ଦିଗ୍ରାମ ନିର୍ବାଚନ ମାମଲାର ଶୁଣାଣି କରୁଥିବା ବିଚାରପତି ନିଜକୁ ଏହି ଶୁଣାଣିରୁ ଅଲଗା କରିଛନ୍ତି । ମାମଲା ଶୁଣାଣିରୁ ନିଜକୁ ଅଲଗା କରି ଜଷ୍ଟିସ କୌଶିକ ଚନ୍ଦ୍ର ନ୍ୟାୟପାଳିକା ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିଥିବା କାରଣରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ୫ ଲକ୍ଷ ଟଙ୍କ ଜରିମାନା ଲାଗୁ କରିଛନ୍ତି ।

ସୂଚନାଯୋଗ୍ୟ ନନ୍ଦିଗ୍ରାମ ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ମମତା ହାଇକୋର୍ଟରେ ମାମଲା ଦାଏର କରିଥିଲେ । ଏହାର ଶୁଣାଣି କୌଶିକ ଚନ୍ଦ୍ର କରୁଥିଲେ । ତେବେ ନିକଟରେ ମମତା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖି କୌଶିକ ଚନ୍ଦ୍ରଙ୍କ ନିରପେକ୍ଷତା ଉପରେ ସନ୍ଦେହ ପ୍ରକଟ କରିଥିଲେ । ଜଷ୍ଟିସ୍ ଚନ୍ଦ୍ରଙ୍କର ବିଜେପି ସହିତ ସମ୍ପର୍କ ରହିଛି ଓ ତାଙ୍କଠାରୁ ନିରପେକ୍ଷ ନ୍ୟାୟ ମିଳିବା ନେଇ ମମତା ଆଶଙ୍କା ବ୍ୟକ୍ତ କରିଥିଲେ ।

ଆଜି ଏହି ମାମଲାର ଶୁଣାଣି କାଳରେ ଜଷ୍ଟିସ୍ ଚନ୍ଦ୍ର କହିଥିଲେ ଯେ, ଯେଉଁଭଳି ଭାବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ତାହା ବିଚାରପତିଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ପାଇଁ ଏକ ସୁଚିନ୍ତିତ ଚାଲ । ତେଣୁ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଫାଇନ ଲଗାଇବାର ଆବଶ୍ୟକତା ରହିଛି । ଫାଇନ ବାବଦରେ ମିଳିବାକୁ ଥିବା ଅର୍ଥକୁ କରୋନା ପ୍ରଭାବିତ ଓକିଲଙ୍କ କଲ୍ୟାଣ ପାଇଁ ବ୍ୟବହାର କରିବା ପାଇଁ ସେ କହିଛନ୍ତି ।

ଏହା ସହିତ ଜଷ୍ଟିସ ଚନ୍ଦ୍ର ନିଜକୁ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ଠାରୁ ଅଲଗା କରିଛନ୍ତି । ଆଗରୁ ଜଷ୍ଟିସ୍ ଚନ୍ଦ୍ର ନିଜେ ହିଁ ମମତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ତେବେ ଏବେ ବ୍ୟକ୍ତିଗତ କାରଣରୁ ସେ ଏହି ମାମଲା ଶୁଣାଣିରୁ ନିଜକୁ ଦୁରେଇ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner