ମଣ୍ଡପରେ ମାଆଙ୍କ ମହାଷ୍ଟମୀ, ଚାଲିଛି ମହାମାୟୀଙ୍କ ନୀତିକାନ୍ତି

ନନ୍ଦିଘୋଷ ବ୍ୟୁରୋ: ଧରାବତରଣ କରିଛନ୍ତି ମାଆ । ଆଡମ୍ବରରେ ଚାଲିଛି ମହାମାୟାଙ୍କ ନୀତିକାନ୍ତି । ଆକର୍ଷିତ କରୁଛି ସୁଉଚ୍ଚ ତୋରଣ, ମନ ମୋହୁଛି ସାଜସଜ୍ଜା । ଦୁଇବର୍ଷ ପରେ ମଣ୍ଡପରେ ଲାଗିଛି ଭକ୍ତଙ୍କ ଗହଳି । ଆଜି ମଣ୍ଡପରେ ମାଆଙ୍କର ମହାଷ୍ଟମୀ, ପୀଠରେ ନବମୀ ପୂଜା । ଅଷ୍ଟମୀରେ ବ୍ରତ ପୂଜା କରାଯିବାର ବିଧି ରହିଛି । ମହିଳାମାନେ ମଣ୍ଡପରେ ଦୁର୍ଗାଷ୍ଟମୀ ବ୍ରତ ପୂଜା କରି ଧାରଣ କରିବେ ।

ଅନ୍ୟପକ୍ଷରେ ବିଭିନ୍ନ ଶକ୍ତି ପୀଠରେ ଷୋଡଶ ଉପଚାର ପୂଜାର୍ଚ୍ଚନା ହେଉଛି । ମାଆ କଟକ ଚଣ୍ଡୀ, ଗଡଚଣ୍ଡୀଙ୍କ ସହିତ ଅନ୍ୟ ପୀଠରେ ନବମୀ ପୂଜା ଅନୁଷ୍ଠିତ ହେବ । ଆଜି ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ କଟକ ଚଣ୍ଡୀ । ସେହିଭଳି ଗଡଚଣ୍ଡୀ ମହାକାଳି ବେଶରେ ଦର୍ଶନ ଦେବେ । କାଲିଠୁ ସନ୍ଧିପୂଜା ସହିତ ବଙ୍ଗୀୟ ମେଢ ଗୁଡିକରେ ସିନ୍ଦୁର ଖେଳ ହେବ । ଶୁକ୍ରବାର ଦଶମୀରେ ପୂଜା ଅନୁଷ୍ଠିତ ହେବ ।