ମୁମ୍ବାଇ: ପୋଲିଓ ଟିକାକରଣ ବେଳେ ସାଂଘାତିକ ତ୍ରୁଟି। ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ସାନିଟାଇଜର ଦିଆଯାଇଛି। ଗତ ରବିବାର ମୁମ୍ବାଇରୁ ୭୦୦ କିଲୋମିଟର ଦୂରରେ ୟାଭାତ୍ମାଳ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଘଟଣାରେ ୧୨ ଜଣ ଶିଶୁ ଅସୁସ୍ଥ ହୋଇ ଡାକ୍ରଖାନାରେ ଭର୍ତ୍ତି ହୋଇଛନ୍ତି।
ସ୍ୱାସ୍ଥ୍ୟକେନ୍ଦ୍ରରେ ପଲ୍ସ ପୋଲିସ ଟିକାକରଣ ଚାଲିଥିବା ବେଳେ ୧୨ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର ବୁନ୍ଦା ଦିଆଯାଇଛି। ଏହାପରେ ଶିଶୁମାନେ ଅସୁସ୍ଥ ହୋଇପଡ଼ିଥିଲେ। କେତେଜଣଙ୍କ ଦେହ ଥରିବା ସହ ବାନ୍ତି ହୋଇଥିଲା। ପରେ ଅସୁସ୍ଥ ଶିଶୁମାନଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅସୁସ୍ଥ ପିଲାମାନଙ୍କ ଉପରେ କଡ଼ା ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ । ସୂଚନା ମୁତାବକ ଏହି ଘଟଣା ଜଣେ ଡାକ୍ତର ଅଙ୍ଗନ ବାଡ଼ି ସେବିକା ଓ ଆଶା କର୍ମୀଙ୍କ ଉପସ୍ଥିତରେ ଘଟିଛି।
ସୂଚନାଯୋଗ୍ୟ, ୟାଭାତ୍ମାଲ୍ ଜିଲ୍ଲାପାଳ ଏମ୍. ଦେବେନ୍ଦର ସିଂ ମେଡିକାଲକୁ ଯାଇ ପିଲାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ଅବହେଳା ପାଇଁ ଜଣେ ସ୍ୱାସ୍ଥ୍ୟକର୍ମୀ, ଜଣେ ଡାକ୍ତର ଓ ଜଣେ ଆଶାକର୍ମୀଙ୍କୁ ସସ୍ପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶ୍ରୀକ୍ରିଷ୍ଣ ପଞ୍ଚଲ। ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯିବ।

