ଆରମ୍ଭ ହୋଇଯାଇଛି ଶୈବପୀଠ ମହାବିନାୟକର ପୁନଃରୁଦ୍ଧାର କାର୍ଯ୍ୟ

ଭଦ୍ରକ: ଏବେ ଆହୁରି ମନୋରମ ହେବ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ମହାବିନାୟକ ଶୈବପୀଠ  । ପୀଠର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର  । ଓଳାସୁଣି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି  । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପୀଠର ସୌନ୍ଦର୍ଯୀକରଣକୁ ଗୁରୁତ୍ବ ଦେଇଛି ପର୍ଯ୍ୟଟନ ବିଭାଗ  ।

ବଦଳିବାକୁ ଯାଉଛି ମହାବିନାୟକର ଚେହେରା । ପରିତ୍ୟକ୍ତ ହୋଇ ପଡ଼ିରହିଥିବା ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ମହାବିନାୟକର ପୁନଃରୁଦ୍ଧାର କାର୍ଯ୍ୟ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର  । ପୀଠ ପରିସରରେ ସୁନ୍ଦର ପାର୍କ ସହିତ ପାଦଚଲା ରାସ୍ତା, ଘାସ ଗାଲିଚା, ଆଲୋକୀକରଣ ଓ ଛୋଟ ପିଲାଙ୍କ ପାଇଁ ଅନେକ ଆମୋଦପ୍ରମାଦର ବ୍ୟବସ୍ଥା ହେଉଛି  । ପାହାଡ଼କୁ ଆହୁରି ମନଲୋଭା କରିବାକୁ କରାଯାଇଛି କୃତ୍ରିମ ଝରଣା  । ମନରେଗା ଯୋଜନାରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେଇ ସେମାନଙ୍କୁ ରୋଜଗାର ମଧ୍ୟ ପ୍ରଦାନ କରାଯାଇଛି  ।

କେବଳ ମହାବିନାୟକ ନୁହେଁ, ଓଳାଶୁଣୀ ଇକୋ ଟୁରିଜିମ କ୍ଷେତ୍ରର ମଧ୍ୟ ପୁନଃରୁଦ୍ଧାର କାର୍ଯ୍ୟ ଜାରି ରହିଛି  । ଏଠାରେ ମଧ୍ୟ ପାହାଡ଼ ଉପରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି  । ଫନି ବାତ୍ୟା ପରଠୁ ଓଳାସୁଣି ପାହାଡ଼ ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା  । ଏବେ ଏହାର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି ପର୍ଯ୍ୟଟନ ବିଭାଗ  ।