ଅବିବାହିତ ଗର୍ଭବତୀ ଯୁବତୀଙ୍କ ଦେହରେ ନିଆଁ ଲଗାଇ ଜାଳିଦେଲେ ମା’ ଏବଂ ଭାଇ

ଉତ୍ତରପ୍ରଦେଶ: ନୃଂଶସ । ଅମାନବୀୟ । ମଧ୍ଯପ୍ରଦେଶ ଉଜ୍ଜୟିନୀ ଘଟଣା ପରେ ଏବେ ଉତ୍ତରପ୍ରଦେଶରୁ ଆସିଛି ଆଉ ଏକ ବୀଭତ୍ସ ଘଟଣାର ଚିତ୍ର । ହାପୁରର ଏକ ଜଙ୍ଗଲରେ ଜଣେ ଗର୍ଭବତୀ ଯୁବତୀଙ୍କ ଦେହରେ ନିଆଁ ଲଗାଇଦେଲେ ଖୋଦ୍ ମା ଓ ତାଙ୍କ ଭାଇ । ଗୁରୁତର ଅବସ୍ଥାରେ ଯୁବତୀଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ହାପୁର ଜିଲ୍ଲା ଅନ୍ତର୍ଗତ ନାଓ୍ବାଦ ଖୁର୍ଦ ଗ୍ରାମରେ ଘଟିଥିବା ଏହି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ୨୩ ବର୍ଷ ବୟସ୍କା ଯୁବତୀଜଣକ ଅବିବାହିତା ଥିବା ସତ୍ତ୍ବେ ଗର୍ଭବତୀ ହେବାକୁ ନେଇ ପରିବାର କ୍ଷୁବ୍ଧ ହେବା ପରେ ସେମାନେ ତାଙ୍କୁ ଜଙ୍ଗଲକୁ ନେଇଯାଇଥିଲେ ।

ସେଠାରେ ତାଙ୍କ ଉପରେ ମା ଓ ଭାଇ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିଲେ । ଏହି ଅମାନୁଷିକ କାଣ୍ଡ ଘଟାଇଛନ୍ତି । ଯୁବତୀଜଣଙ୍କର ଶରୀର ୭୦ ଭାଗ ପୋଡିଯାଇଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ କେତେକ କୃଷକ ଠାବ କରିବା ପରେ ସେମାନେ ତାଙ୍କୁ ଉଦ୍ଧାର କରିଥିଲେ । ପରେ ପୋଲିସ ତାଙ୍କୁ ମିରଟର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉଭୟ ମା ଓ ପୁଅଙ୍କୁ ପୋଲିସ ଅଟକ ରଖି ଜେରା କରୁଛି । ହାପୁରର ଅତିରିକ୍ତ ଏସପି ରାଜକୁମାର ଅଗ୍ରଓ୍ବାଲ କହିଛନ୍ତି ଉଭୟ ମା ଓ ପୁଅଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ମାମଲା ଦାୟର କରାଯାଇ ତଦନ୍ତ କରାଯାଉଛି ।