ରଣଜୀ ଟ୍ରଫି: ଫାଇନାଲରେ ମୁମ୍ବାଇକୁ ହରାଇ ପ୍ରଥମଥର ମଧ୍ୟପ୍ରଦେଶ ଚମ୍ପିୟାନ
1 min readନୂଆଦିଲ୍ଲୀ: ୪୧ ଥର ରଣଜୀ ଟ୍ରଫି ଜିତିଥିବା ମୁମ୍ବାଇ ଚଳିତଥର ଫାଇନାଲରେ ପରାଜିତ ହୋଇଛି । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶ ମୁମ୍ବାଇକୁ ୬ୱିକେଟରେ ପରାଜିତ କରିଛି । ରଣଜୀ ଟ୍ରଫି ଫାଇନାଲ ମ୍ୟାଚର ଅନ୍ତିମ ଦିନରେ କେହି ଭାବି ନଥିଲେ ଯେ ମଧ୍ୟପ୍ରଦେଶ ମୁମ୍ବାଇ ବିରୋଧରେ ସିଧାସଳଖ ବିଜୟ ହାସଲ କରିବ । ଚତୁର୍ଥ ଦିନ ଶେଷ ହେଲା ବେଳକୁ ଯେତବେଳେ ମୁମ୍ବାଇ ଦ୍ବିତୀୟ ଇନିଂସରେ ୨ ୱିକେଟରେ ୧୧୩ ରନ୍ କରିଥିଲା, ସମସ୍ତେ ଭାବୁଥିଲେ ଯେ ଶେଷ ଦିନରେ ମୁମ୍ବାଇ ବଡ ସ୍କୋର ଛିଡା କରିବ । କିନ୍ତୁ ମୁମ୍ବାଇ ୨୬୯ ରନରେ ହିଁ ସୀମିତ ରହିଥିଲା ।
ମଧ୍ୟପ୍ରଦେଶ ଆଗରେ ୧୦୮ ରନର ଟାର୍ଗେଟ ରହିଥିଲା । ଯାହାକୁ ମଧ୍ୟପ୍ରଦେଶ ୪ ୱିକେଟ ବିନିମୟରେ ଟାର୍ଗେଟ ହାସଲ ସହ ଚମ୍ପିୟାନ ହୋଇଛି । ମଧ୍ୟପ୍ରଦେଶର ଆଜିର ବିଜୟରେ ୟଶ ଦୁବେ, ରଜତ ପଟିଦାର ଏବଂ ଶୁଭମ ଶର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ । ଏମାନେ ପ୍ରଥମ ଇନିଂସରେ ଶତକ ମାରିଥିଲେ । ୮୮ ବର୍ଷ ପରେ ରଣଜୀ ଟାଇଟଲ ମଧ୍ୟପ୍ରଦେଶ ଜିତିବାରେ ପରେ ଟିମରେ ଖୁସିର ଲହରି ଖେଳିଯାଇଛି । ପୂର୍ବରୁ ମଧ୍ୟପ୍ରଦେଶ ଟ୍ରଫି ଜିତିଛି ସତ ହେଲେ ସେତବେଳେ ହୋଲ୍କର ନାଁରେ ମ୍ୟାଚ ଖେଳୁଥିଲା । ତେବେ ଏହା ଔପଚାରିକ ଭାବେ ମଧ୍ୟପ୍ରଦେଶର ଏହା ପ୍ରଥମ ବିଜୟ । ସେହିପରି ମୁମ୍ବାଇ ଦଳ ୨୦୧୫-୧୬ ପରଠୁ ଲଗାତାର ରଣଜୀ ଟ୍ରଫି ଫାଇନାଲ ଜିତିବାରେ ବିଫଳ ରହିଛି ।
ମୁମ୍ବାଇ ଚଳିତ ବର୍ଷ ପରାଜିତ ହୋଇଛି ସତ ହେଲେ ପୂର୍ବରୁ ୪୧ଥର ଟ୍ରଫି ଜିତିବାର ରେକର୍ଡ ତା ନାଁରେ ଅଛି । ଯାହାକୁ ଅନ୍ୟ ଟିମ୍ ମାନଙ୍କ ପକ୍ଷରେ ଭାଙ୍ଗିବା ଏକପ୍ରକାର ଅସମ୍ଭବ । ମୋଟ ମିଶାଇ ୮ଟି ଟିମ୍ ରଣଜୀ ଟ୍ରଫି ଗୋଟେ ଥର ଲେଖାଏଁ ଜିତିଛନ୍ତି । ଯେତବେଳେ କି ୧୨ଟି ଟିମ୍ ଏକରୁ ଅଧିକ ଥର ଟ୍ରଫି ଜିତିଛନ୍ତି । ଭାରତର ଘରୋଇ ରଣଜୀ ଇତିହାସରେ ସବୁ ରାଜ୍ୟ ପ୍ରାୟ ରଣଜୀ ଟ୍ରଫି ଜିତି ସାରିଛନ୍ତି କେବଳ ଦୁଇଟି ରାଜ୍ୟକୁ ଛାଡି । ବିହାର ରାଜ୍ୟ ଯିଏକି ଏପର୍ଯ୍ୟନ୍ତ ସୁଦ୍ଧା ଟ୍ରଫି ଜିତିବାରେ ସଫଳ ହୋଇପାରି ନାହିଁ । ଏହା ବ୍ୟତିତ ଝାଡ଼ଖଣ୍ଡ ଟିମ୍ ମଧ୍ୟ ଟ୍ରଫି ଜିତି ପାରିନାହିଁ ।