ମନୋଜ ପାଣ୍ଡେ ହେବେ ନୂଆ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ଆର୍ମୀର ନୂଆ ସ୍ଥଳସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ସେନାର କୋର୍ ଅଫ ଇଞ୍ଜିନିୟର ଅଫିସର ହେଉଛନ୍ତି ମନୋଜ । ସେ ୨୯ତମ ସେନାମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଏମ.ଏମ. ନରଓ୍ବାଣେଙ୍କ ସ୍ଥାନ ନେବେ ମନୋଜ । ୧୯୮୨ ମସିହାରେ ସେନାର ଇଞ୍ଜିନିୟର ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ ମନୋଜ ।

ଆସନ୍ତା ୩୦ ତାରିଖରେ ମନୋଜ ଭାରତୀୟ ସ୍ଥଳସେନାର ଦାୟିତ୍ବ ଗ୍ରହଣ କରିବେ । ଦେଶର ପ୍ରଥମ ଇଂଜିନିୟର ଭାବେ ସେ ସ୍ଥଳସେନା ମୁଖ୍ୟ ହେବାକୁ ଯାଉଛନ୍ତି । ଚଳିତମାସ ଶେଷରେ ଏମ.ଏମ. ନରଓ୍ବାଣେ ଅବସର ନେବେ ।

ନରଓ୍ବାଣେଙ୍କ ପରେ ମନୋଜ୍ ହେଉଛନ୍ତି ସେନାର ସବୁଠାରୁ ବରିଷ୍ଠ ଅଧିକାରୀ । ଅନ୍ୟପକ୍ଷେ ଖାଲି ଥିବା  ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ସିଡିଏସ ପଦ ଦୌଡରେ ନରଓ୍ବାଣେଙ୍କ ନାଁ ଆଗରେ ଥିବା ବିଶେଷ ସୂତ୍ରରୁ ଜଣାପଡୁଛି । ୨୦୨୧ ଡିସେମ୍ବର ୮ ତାରିଖରେ ବାୟୁସେନା ବିମାନ ଦୁର୍ଘଟଣାରୁ ଦେଶର ପ୍ରଥମ ସିଡିଏସ ବିପିନ ରାଓ୍ବତଙ୍କ ମୃତ୍ୟୁ ଘଟିଥିଲା । ସେବେଠାରୁ ଏହି ପଦବୀଟି ଖାଲି ରହିଛି ।