ଆସନ୍ତାକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ: ୨୪ ଘଣ୍ଟାରେ ଲଘୁଚାପର ରୂପନେବ

ଭୁବନେଶ୍ୱର: ଆସୁଛି ବାତ୍ୟା ଆସାନୀ । ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଏବଂ ବାତ୍ୟାରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି । ପାଣିପାଗ ମଡେଲ ଓ୍ୱିଣ୍ଡି ପକ୍ଷରୁ ଜାରି ହୋଇଥିବା ଗ୍ରାଫିକ୍ସ ଅନୁସାରେ ବାତ୍ୟାଟି ଅତି ତୀବ୍ର ବେଗରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ।

କିନ୍ତୁ ଲଘୁଚାପ ପରେ ଏହାର ଗତିପଥ ଏବଂ ତୀବ୍ରତା ଜଣାପଡ଼ିବ । ଦୁଇ ଦିନ ମଧ୍ୟରେ ବାତ୍ୟାର ସ୍ପଷ୍ଟ ଚିତ୍ର ଆସିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏବେ ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି । ବଙ୍ଗୋପସାଗରରେ ମେଘଖଣ୍ଡ ଏକାଠି ହେଉଥିବା ନେଇ ସାଟେଲାଇଟ୍‌ରୁ ଚିତ୍ର ମିଳିଛି । ସାମ୍ଭାବ୍ୟ ବାତ୍ୟା ଉପରେ ନଜର ରଖିଛି ଆଇଏମ୍‌ଡି । ସେପଟେ ଉପକୂଳ ଓଡ଼ିଶାରେ ସାମାନ୍ୟ କମିଛି ତାତି । ତାପମାତ୍ରା ଅଧିକ ନଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳୁରେ ସନ୍ତୁଳି ହେଉଛନ୍ତି ଲୋକେ। କିନ୍ତୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ମିଳିବନି ତାତିରୁ ତ୍ରାହି । ଅଧିକାଂଶ ଜିଲ୍ଲାର ତାତି ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର ।