ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ। ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ଏହି ପରମ୍ପରା ଅନୁଯାଇ ଗତକାଲି ରାତି ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହୋଇଛନ୍ତି ।

ଆଜି ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶକୁ ଭକ୍ତମାନେ ନିଜ ଚର୍ମଚକ୍ଷୁରେ ଦେଖିବାର ସୁଯୋଗ ପାଇପାରିବେ । ବଡଛତା ମଠ ପକ୍ଷରୁ ଯୋଗାଇଥିବା ପଦ୍ମ ବେଶରେ ବଡ଼ସିଂହାର ବେଶ ଅନୁଷ୍ଟିତ ହେବ ଓ ମଠ ତରଫରୁ ଖିରୀ, ଅମାଲୁ ଭୋଗ କରାଯାଇ ଶ୍ରୀଜୀଉଙ୍କର ରାତ୍ର ପହୁଡ଼ ହେବ । ଏହି ବେଶ ପାଇଁ କାରିଗର ମାନେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବେଶ ସାମଗ୍ରୀ ଯୋଗାଇ ଦେଇଛନ୍ତି ।