ଆଜି ଦିନ ୧୧ଟାରେ ଲୋକସଭା ବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ପଦ ପାଇଁ ଆଜି ହେବ ନିର୍ବାଚନ। ମଇଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ଓ ଇଣ୍ଡିଆ ପ୍ରାର୍ଥୀ କେ ସୁରେଶ । ଆଜି ଦିନ ୧୧ଟାରେ ହେବ ନିର୍ବାଚନ। ସେଥିପାଇଁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ନିଜ ନିଜର ସାଂସଦଙ୍କୁ ହ୍ବିପ ଜାରି କରାଯାଇଛି। ଗୃହରେ ଉପସ୍ଥିତ ରହିବାକୁ ସମସ୍ତଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ସଂଖ୍ଯା ଦୃଷ୍ଟିରୁ ଓମ ବିର୍ଲାଙ୍କ ପଲା ଭାରି ଅଛି। କାରଣ ଏନଡିଏର ୨୯୩ ସାଂସଦ ଅଛନ୍ତି। ଇଣ୍ଡିଆର ଅଛନ୍ତି ୨୩୩ ସାଂସଦ।

ମୋଟ ୫୪୨ ସାଂସଦଙ୍କ ମଧ୍ଯରୁ ୨୭୧ ଜଣଙ୍କ ସମର୍ଥନ ଯିଏ ପାଇବ, ସେ ଜିତିବ। ବାଚସ୍ପତି ପଦ ପାଇଁ ସହମତି ହୋଇନପାରିବାରୁ ଏଥର ନିର୍ବାଚନ ହେଉଛି। ଯାହାକି ସ୍ବାଧୀନ ଭାରତର ଇତିହାସରେ ପ୍ରଥମ। ଲୋକସଭାର ପରମ୍ପରା ଅନୁସାରେ ବାଚସ୍ପତି ଶାସକ ପକ୍ଷର ରହୁଥିବା ବେଳେ ବିରୋଧୀଙ୍କୁ ମିଳିଥାଏ ଉପବାଚସ୍ପତି ପଦ।

କିନ୍ତୁ ୨୦୧୪ ଓ ୨୦୧୯ ରେ ବିଜେପିର ସଂଖ୍ଯା ବଳ ଥିବାରୁ ଉପବାଚସ୍ପତି ପଦ ମଧ୍ଯ ନିଜ ପାଖରେ ରଖିଥିଲା। ଏଥର ମେଣ୍ଟ ସରକାର ଥିବାରୁ ବିରୋଧୀ ଏଥିରେ ଆଉ ସାଲିସ କରିନଥିଲେ ଏବଂ ଉପବାଚସ୍ପତି ପଦ ପାଇଁ ଅଡ଼ି ବସିଥିଲେ। ଏନଡିଏ କିନ୍ତୁ କିଛି ପ୍ରତିଶ୍ରୁତି ଦେଇନଥିଲା। ତେଣୁ ଓମ୍ ବିର୍ଲାଙ୍କୁ ସମର୍ଥନ କରିବାକୁ ମନା କରିଥିଲେ ବିରୋଧୀ। ତେଣୁ ଶେଷରେ ବାଚସ୍ପତି ନିର୍ବାଚନ ମଧ୍ଯ କରିବାକୁ ପଡ଼ିଛି।