ସରକାରୀ ବଙ୍ଗଳା ଖାଲି କରିବାକୁ ରାହୁଲଙ୍କୁ ନୋଟିସ୍

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମସ୍ୟା କମ୍ ହେବାର ନାଁ ନେଉନାହିଁ । ଲୋକସଭାରେ ଅଯୋଗ୍ୟ ଘୋଷିତ ହେବା ପରେ ଏବେ ସରକାରୀ କ୍ୱାଟର ଖାଲି କରିବା ପାଇଁ ରାହୁଲଙ୍କୁ ନୋଟିସ୍ ଦିଆଯାଇଛି । ଲୋକସଭା କମିଟି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦେଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ପୂର୍ବତନ ସାଂସଦ ହୋଇଯାଇଛନ୍ତି । ସେ କେରଳର ୱାୟନାଡ ଆସନରୁ ପ୍ରତିନିଧିତ୍ୱ କରୁଥିଲେ । କିନ୍ତୁ ଲୋକସଭା ସଚିବାଳୟ ଶୁକ୍ରବାର ବିଜ୍ଞପ୍ତି ଜାରି କରି ତାଙ୍କ ସଦସ୍ୟତା ରଦ୍ଦ କରିଦେଇଥିଲେ ।

ବର୍ତ୍ତମାନ ରାହୁଲ ୧୨ ତୁଗଲକ ଲେନରେ ଥିବା ସରକାରୀ କ୍ୱାଟରରେ ରହୁଛନ୍ତି । ନୋଟିସ୍ ଅନୁସାରେ ରାହୁଲ ଗାନ୍ଧିଙ୍କୁ ୨୨ ଏପ୍ରିଲ ସୁଦ୍ଧା ନିଜ ସରକାରୀ ବଙ୍ଗଳା ଖାଲି କରିବାକୁ ହେବ । ସୂଚନାଥାଉକି, ଗୁଜୁରାଟର ସୁରଟ କୋର୍ଟ ମୋଦି ସରନେମ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଦୁଇବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହି ମାମଲା କାରଣରୁ ରାହୁଲ ଗାନ୍ଧିଙ୍କ ସଦସ୍ୟତା ଚାଲିଯାଇଥିଲା ।