ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ତାତିଲା ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ : ନିଟ୍ ପ୍ରସଙ୍ଗ ନେଇ ଲୋକସଭାରେ ହଙ୍ଗାମା। ଏହି ପ୍ରସଙ୍ଗରେ ବିରୋଧୀ ସାଂସଦମାନେ ସରକାରଙ୍କୁ ଘେରିଛନ୍ତି। ଗୃହରେ ହଙ୍ଗାମା ପରେ ସୋମବାର ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ନିଟ ପ୍ରସଙ୍ଗରେ ହୋହଲ୍ଲା କରିଥିଲେ।

ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କହିଥିଲେ ନିଟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ସ୍ବତନ୍ତ୍ର ଆଲୋଚନା ହେବା ଦରକାର। ମାତ୍ର ଏହାକୁ ଗ୍ରହଣ କରି ନଥିଲେ ବାଚସ୍ପତି। ଏହାକୁ ନେଇ ଆସନ୍ତା ସୋମବାର ଯାଏ ଲୋକସଭାକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣରେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ କୁହାଯାଇଥିଲେ ବି ଏହାକୁ ନେଇ ସଂସଦରେ ହୋହଲ୍ଲା କରିବେ ବିରୋଧୀ। କିପରି ପ୍ରଶ୍ନପତ୍ର ଲିକ୍ ହେଲା, ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସମ୍ପର୍କରେ ସରକାରଙ୍କ ଯୋଜନା କଣ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ଇଣ୍ଡିଆମେଣ୍ଟ।

ଆସନ୍ତା ଜୁଲାଇ ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସସଦରେ ଉଦବୋଧନ ଦେବାର କାର୍ଯ୍ଯକ୍ରମ ରହିଛି। ପରଦିନ ସେ ରାଜ୍ଯସଭାରେ ବି ନିଜର ମତ ରଖିବେ। ସେପଟେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡି ଓ ସିବିଆଇର ଟାର୍ଗେଟ ବିରୋଧରେ ସଂସଦ ଭବନ ଆଗରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଛନ୍ତି ଆପ୍ ସାଂସଦ। ସେପଟେ ଗୃହରେ ନିଟ୍ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ଆସନ୍ତା ସୋମବାର ଯାଏ ଗୃହକୁ ମୁଲତବି ଘୋଷଣା କରାଯାଇଛି।