ଲକ୍‌ଡାଉନ୍‌ ପରେ ବଢ଼ିବ କାର ବିକ୍ରି, ଗ୍ରାହକମାନେ ଘରେ ବସି ଅନଲାଇନରେ କିଣିବେ ଗାଡ଼ି!

1 min read

ନୂଆଦିଲ୍ଲୀ: କରୋନାଭାଇରସ ଯୋଗୁଁ ଲୋକେ ଅନେକ ସତର୍କତା ଅବଲମ୍ବନ କରୁଛନ୍ତି । ଏହା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି ସତ ହେଲେ ଲୋକମାନଙ୍କୁ ଅନେକ ଶିକ୍ଷା ମଧ୍ୟ ଦେଇଛି । ପରିସ୍କାର ରହିବା ସହ ନିଜ କାମ ନିଜେ କରିବା ତଥା ସତର୍କ ରହିବା ଲୋକମାନଙ୍କ ପାଇଁ କୌଣସି ଶିକ୍ଷାରୁ କମ ନୁହେଁ । ତେବେ କରୋନା ଯୋଗୁଁ ବିଶ୍ୱର ଅନେକ ପରିବର୍ତ୍ତନ ହୋଇଛି । ନିକଟରେ ଗାଡ଼ି ନେଇ ଏକ ଖବର ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, କରୋନାଭାଇରସ ସଂକଟ ପରେ ଗାଡ଼ି ବିକ୍ରି କରିବା ଉପାୟରେ ପରିବର୍ତ୍ତନ ଆସିପାରେ । ଗ୍ରାହକମାନେ ଅନ୍‌ଲାଇନ୍‌ରେ କାର କିଣି ପାରିବେ ।

ରିପୋର୍ଟ ଅନୁସାରେ ମହାମାରୀ ପରେ ଗ୍ରାହକମାନେ ଅଧିକ ସତର୍କ ହୋଇଯିବେ । ବାହାରକୁ ଯିବାଆସିବା ପସନ୍ଦ କରିବେ ନାହିଁ । ତେବେ ଏଥିପାଇଁ ଅନ୍‌ଲାଇନ୍‌ରେ ଗାଡ଼ି କିଣିବା ପ୍ରକ୍ରିୟା ଉତ୍ତମ ରହିବ । ଗ୍ରାହକମାନେ ଶୋ’ ରୁମ ନଯାଇ ମଧ୍ୟ ଅନଲାଇନରେ କାର କିଣିପାରିବେ । ଏହା ବ୍ୟତୀତ କୋଭିଡ -୧୯ ପରେ ସଂକ୍ରମଣ ଭୟ ଯୋଗୁଁ ଲୋକମାନେ ସାଧାରଣ ପରିବହନ ପରିବର୍ତ୍ତେ ନିଜ ଗାଡିରେ ଯାତ୍ରା କରିବାକୁ ପସନ୍ଦ କରିବେ । ଯେଉଁଥିପାଇଁ କାର ବିକ୍ରିର ଡିମାଣ୍ଡ ବଢିପାରେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, କରୋନାଭାଇରସ ସଙ୍କଟ ପରେ ଗ୍ରାହକମାନେ ବଜାରକୁ ଯାଇ କିଣାକିଣି କରିବା ବ୍ୟତୀତ ଅଧିକ ଅନଲାଇନ୍ ସପିଂ କରିବେ ।

ସାମାଜିକ ଦୂରତାକୁ ଧ୍ୟାନରେ ରଖି ଏଭଳି ଏକ ପ୍ରକ୍ରିୟା ଆରମ୍ଭ ହୋଇପାରେ । ତେବେ ଆଜିକାଲି ଗ୍ରାହକମାନେ ମଧ୍ୟ କାର କିଣିବା ପାଇଁ  ପ୍ରଥମେ ଫିଚର୍ସ ବିଷୟରେ ସୂଚନା ପାଇବା ପାଇଁ ଅନଲାଇନ୍ ଅନୁସନ୍ଧାନ କରନ୍ତି । ହେଲେ ଏଯାଏଁ ଭାରତରେ ଅନଲାଇନ୍ ଗାଡି ବିକ୍ରି ହୋଇନାହିଁ । କିନ୍ତୁ ଖୁବ ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ । ଚାଇନାରେ ଏକ ରିପୋର୍ଟରେ କୁହାଯାଇଛି ଯେ ସଂକ୍ରମଣ ଭୟ ଏବଂ ସାଧାରଣ ପରିବହନରେ ସ୍ୱଚ୍ଛତା ଅଭାବରୁ ଲୋକମାନେ ବର୍ତ୍ତମାନ ନିଜ ଗାଡି ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। କୋଭିଡ -୧୯ ସଙ୍କଟ ହେତୁ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ହେଉଛି ଯେ ଲୋକମାନେ ଏବେ ବ୍ୟକ୍ତିଗତ ଗାଡି ବ୍ୟବହାର କରୁଛନ୍ତି। ଏଭଳି ପରିସ୍ଥିତିରେ କାରର ଅନଲାଇନ୍ ବିକ୍ରି ବୃଦ୍ଧି ପାଇବ।

 

Leave a Reply