ଚିକିତ୍ସା କ୍ଷେତ୍ରରେ ସଫଳ ହେଉଛି ଓଡ଼ିଶା, ପୁଣିଥରେ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ ହେଲା ସଫଳ

3D Illustration of Human Body Organs Anatomy (Liver)

ଭୁବନେଶ୍ୱର: ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ କରାଯାଇଛି । ଏହି ଅପରେସନରେ ଗ୍ୟାଷ୍ଟ୍ରୋ ଇଂଟେଷ୍ଟାଇନାଲ ସର୍ଜରୀ, ହେପାଟୋଲଜି, ଆନାସ୍ଥେସିଆ, କାର୍ଡିଓଲୋଜି, ୟୁରୋଲୋଜି, ନେଫ୍ରୋଲୋଜି, ରେଡିଓଲୋଜି, ଓଟି, ଇନଫେକସନ କଣ୍ଟ୍ରୋଲ, ସେଣ୍ଟ୍ରାଲ ଲ୍ୟାବ ଏବଂ ବ୍ଲଡ ବ୍ୟାଙ୍କର ଡାକ୍ତର, ନର୍ସ ଏବଂ ପାରାମେଡିକ୍‌ସ ମାନଙ୍କୁ ମିଶାଇ ୪୦ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ ।

ସମ୍ବଲପୁର ଅଞ୍ଚଳର ଉମେଶ କୁମାର ରାଉତଙ୍କର ଯକୃତ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ତାଙ୍କ ଭଉଣୀ ଅନୀତା କୁମାରୀ ତାଙ୍କ ଯକୃତର ୬୦ ପ୍ରତିଶତ ନିଜ ଭାଇକୁ ପ୍ରଦାନ କରିଥିଲେ । ଶ୍ରୀ ରାଉତ ଯକୃତ ରୋଗର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ତାଙ୍କ ଜୀବନ ବଞ୍ଚାଇବାପାଇଁ ଯକୃତ ପ୍ରତ୍ୟାରୋପଣ ହିଁ ଏକମାତ୍ର ଉପାୟ ଥିଲାବୋଲି ପ୍ରଫେସର ସାହୁ କହିଛନ୍ତି ।

ଗତ ମାର୍ଚ୍ଚ ୫ ତାରିଖରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ରାଜ୍ୟର ପ୍ରଥମ ସଫଳ ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା । ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜିର ପ୍ରଫେସର ପି. ବାଲଚନ୍ଦ୍ରନ ମେନନ୍‌ଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନମାନେ ଅସ୍ତ୍ରୋପଚାର କରିଥିଲେ । ଏହି ଅପରେସନ ପ୍ରକ୍ରିୟା ଭୋର ୪ ଟାରୁ ଆରମ୍ଭ ହୋଇ ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା ବୋଲି ସୂଚନା ଦେଇଛନ୍ତି ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ।

Leave a Reply