ଜୀବନ ଜୀବିକା ଉପରେ ଦାଉ ସାଧୁଛି କରୋନା: ୪ ମାସ ହେଲା ହାତ ବାନ୍ଧି ବସିଛନ୍ତି କୁମ୍ଭକାର ପରିବାର

ଦିଗପହଣ୍ଡି,(କାଳୁ ଚରଣ ନାହାକ): ସଟ୍‌ଡାଉନ୍‌ ପରେ ପୁଣି ଫେରିଛି ଲକଡାଉନ । ମହାମାରୀ ସମୟରେ କେଉଁଠି ଜୀବିକା ଠପ୍ ହୋଇପଡିଛି, ତ କେଉଁଠି ରୋଜଗାରରେ ପଡିଛି ତାଲା । ଦୀର୍ଘ ୪ ମାସ ହେଲା ହାତରେ ହାତ ବାନ୍ଧି ବସିଛନ୍ତି କୁମ୍ଭାର ପରିବାର । ଏବେ କେମିତି ଚଳିବେ, ଭବିଷ୍ୟତ କଣ ତାକୁ ଭାବି ଭାବି ବଞ୍ଚିବା କଷ୍ଟକର ହୋଇପଡିଲାଣି ।

ଜୀବନ ଜୀବିକାରେ ଦାଉ ସାଧିଛି କରୋନା । ନୀରବି ଯାଇଛି କୁମ୍ଭାରର ଚକ । ଅଟକି ଯାଇଛି ହାତ । ମାଟିକୁ ଜୀବନ ଦେଉଥିବା କୁମ୍ଭକାର ପରିବାର ଆଜି ଦୁର୍ଦ୍ଦିନରେ କାଟୁଛନ୍ତି ଦିନ । ଦିଗପହଣ୍ଡି ସାନଖେମୁଣ୍ଡି ଆଡପଡା, ଖିଲିଙ୍ଗି ଗାଁର କୁମ୍ଭାର ନିଜ କୌଳିକ ବୃତ୍ତିରୁ ପେଟ ପୋଷୁଥିବା ବେଳେ କରୋନା ଭାଙ୍ଗିଦେଇଛି ସେମାନଙ୍କ ମେରୁଦଣ୍ଡ ।

ତାଲାବନ୍ଦ ଯୋଗୁଁ ଦୀର୍ଘ ୫ ମାସ ହାତବାନ୍ଧି ବସିଛନ୍ତି କାରିଗର । ଗାଁଠୁ ସହର ସବୁଠି ଆଜିବି ରହିଛି ମାଟିପାତ୍ରର ଚାହିଦା । ଶୁଭ, ଅଶୁଭ ଓ ମାଙ୍ଗଳିକ ସବୁ କାମ ପାଇଁ ଲୋଡା ମାଟିପାତ୍ର । ହେଲେ ଏବେ ସବୁ ବନ୍ଦ ।

ଆଗ ଭଳି ଆଉ ବସୁନି ହାଟ ବଜାର । କରୋନା ପାଇଁ ଗାଁକୁ ଯାଇ ବିକ୍ରି ବଟା କରିବା ବି ଅସମ୍ଭବ ହୋଇପଡିଛି । କେବେ କରନୋ କବଳରୁ ଲୋକେ ମୁକ୍ତ ହେବେ ଆଉ କେବେ ସ୍ୱାଭାବିକ ହେବ ଜୀବନଯାତ୍ରା ତାକୁ ହିଁ ଅପେକ୍ଷା ।

Leave a Reply