ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ବର୍ଷାର ପରିମାଣ । ଜୁନ ୧୯ ତାରିଖ ସୁଦ୍ଧା ଓଡ଼ିଶାରେ ସ୍ୱାଭାବିକ ଠାରୁ ୨୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୦୯ ଦଶମିକ ୪ ମିଲିମିଟର ବର୍ଷା ହେବା କଥା । କିନ୍ତୁ ଜୁନ ୧ରୁ ୧୯ ତାରିଖ ମଧ୍ୟରେ ରାଜ୍ୟରେ ୧୩୪ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୨୬ ପ୍ରତିଶତ ଅଧିକ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେପଟେ ଆସନ୍ତା୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ରାଜସ୍ଥାନଠାରୁ ଉତ୍ତର ପୂର୍ବ ବଙ୍ଗୋପସାଗର ମଧ୍ୟରେ ସକ୍ରିୟ ଥିବା ମୌସୁମୀ ଟ୍ରପ ଲାଇନ ପ୍ରଭାବରେ ବର୍ଷା ଜାରି ରହିବ । ରାଜ୍ୟର ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭ଼ଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜଗତସିଂହପୁର, ଦେବଗଡ଼, ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ମୋଟ ୧୪ଟି ଜିଲ୍କାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୨୨ ତାରିଖରେ ୪ଟି ଜିଲ୍ଲା ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ଏବଂ ଝଟକା ପବନ ୬୦ କିଲୋମିଟର ବହିବା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ତପୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ‘ସଙ୍ଗୀତ ଜଗତରେ ତାଙ୍କ କୀର୍ତ୍ତି ସ୍ମରଣୀୟ କରି ରଖିବ’

 

Leave a Reply