ମନୀଷ ମର୍ଡର ମିଷ୍ଟ୍ରିରୁ ହଟୁନି ପରଦା, ତିନି ଅଭିଯୁକ୍ତଙ୍କୁ ଝାଳବୁହା ଜେରା ପରେ ବି ଚିତ୍ର ଅସ୍ପଷ୍ଟ

ଭୁବନେଶ୍ୱର: ମନୀଷ ମର୍ଡର ମିଷ୍ଟ୍ରିରୁ ହଟୁନି ପରଦା । ଲାଏ ଡିଟେକ୍ସନ ଟେଷ୍ଟ ଭରସାରେ ପୋଲିସ । ଝାଳବୁହା ଜେରା ପରେ ବି ଚିତ୍ର ଅସ୍ପଷ୍ଟ । ବାର ପ୍ରତି ଅନୁକମ୍ପା ନେଇ ଉଠିଲା ପ୍ରଶ୍ନ । ଦିନ ଯେତିକି ଗଡୁଛି ମନୀଷ ମର୍ଡର ମିଷ୍ଟ୍ରି ସେତିକି ଅଡ଼ୁଆ ହେଉଛି । ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଆଜି ସରିବା ପରେ ପୋଲିସ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛି ସତ, କିନ୍ତୁ କ୍ରାଇମ ସିଣ୍ଡିକେଟ ନିକଟରେ ପହଁଚି ପାରିନାହିଁ । ଆବଶ୍ୟକ ସ୍ଥଳେ ପୁଣି ସେମାନଙ୍କୁ ରିମାଣ୍ଡରେ ଆଣି ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି କହିଛନ୍ତି ଡିସିପି । ଅନ୍ୟପଟେ ଫୁଲବାଣୀ ଯାଇଥିବା ପୋଲିସ ଟିମ ମୁଖ୍ୟ ଅଭିଯୁକ୍ତ ଅମ୍ରିତ ଓ ମନୀଷଙ୍କ ଭିତରେ ଥିବା ବ୍ୟବସାୟିକ ଶତ୍ରୁତା, ଧାର କରଜ ସହିତ ବିଗତ ୬ମାସର ସିଡ଼ିଆର ଯାଞ୍ଚ କରୁଛି ।

ସାଉଥସିଟି ହୋଟେଲରେ ୩୫ ହଜାର ଟଙ୍କାର ବିଲକୁ ନେଇ ବଚସା କଥାକୁ ଅଭିଯୁକ୍ତ ସ୍ବୀକାର କରିଛନ୍ତି । ଏପରିକି ବାର କର୍ମଚାରୀ ଟଙ୍କା ନଦେଲେ ତାଙ୍କୁ ହୋଟେଲରେ ପରିଚୟ ପତ୍ର ସହ ମୋବାଇଲ ବନ୍ଧକ ରଖିବାକୁ କଥା ରିମାଣ୍ଡ ବେଳେ କହିଛନ୍ତି ଅଭିଯୁକ୍ତ । ତେବେ କରୋନା କଟକଣା ଥିବା ବେଳେ, ରାତି ୪ଟା ଯାଏଁ କିଭଳି ହୋଟେଲ ଖୋଲିଥିଲା ? କିଏ ଦେଉଥିଲା ଏହି ହୋଟେଲକୁ ସୁରକ୍ଷା ? ସ୍ଥାନୀୟ ଥାନା କର୍ତ୍ତୃପକ୍ଷଙ୍କ ପ୍ରରୋଚନାରେ ଖୁଲେଆମ ବାରରେ ଡ୍ୟାନ୍ସ ସାଙ୍ଗକୁ ଟଙ୍କା ଉଡୁଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ ।

ପୋଲିସ କନଷ୍ଟେବଳ ଓ ହାବିଲଦାର ସଂଘର ସଭାପତି ବାର ଲିଜ ନେଇ ଚଳାଉଥିବାରୁ, ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ପଛଘୁଞ୍ଚା ଦେଉଥିବା ଚର୍ଚ୍ଚା ହେଉଛି ।

Leave a Reply