ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଏପ୍ରିଲ ଫୁଲ କହି ଓଡ଼ିଶାକୁ ଅପମାନିତ କରିଛନ୍ତି ଜୟନାରାୟଣ

ଭୁବନେଶ୍ୱର: ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଜୁ ଜନତା ଦଳର ପ୍ରତିକ୍ରିୟା  ।  ଉତ୍କଳ ଦିବସକୁ ଅପମାନିତ କରିଛନ୍ତି ଜୟନାରାୟଣ ମିଶ୍ର  । ପୁଣି ଥରେ ଓଡ଼ିଶା ବିରୋଧି ପ୍ରତିକ୍ରିୟା ଦେଇଛନ୍ତି ଜୟ ନାରାୟଣ ମିଶ୍ର  । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓଡ଼ିଶା ପ୍ରତି ନିଜର ନିଚ୍ଚ ମନାର ପରିଚୟ ପୁଣି ଥରେ ଦେଇଛନ୍ତି ।

ଉତ୍କଳ ଦିବସ ଭଳି ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ଟ୍ରେନ ପ୍ରୋଜେକ୍ଟ ଘୋଷଣାକୁ ଏପ୍ରିଲ ଫୁଲ୍‌ କହି ଉତ୍କଳ ଦିବସକୁ ଜୟନାରାୟଣ ମିଶ୍ର ଅପମାନିତ କରିଛନ୍ତି । ଏହାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଗତକାଲି ଖୁସିର ସହିତ ଉତ୍କଳ ଦିବସ ପାଳୁଥିଲେ ରାଜ୍ୟବାସୀ । ଏଭଳି ଏକ ଦିନରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଏପ୍ରିଲ ଫୁଲ୍‌ ବୋଲି କହି ଓଡ଼ିଶା ବିରୋଧୀ ନେତାର ପରିଚୟ ଦେଇଛନ୍ତି ଜୟନାରାୟଣ । ଓଡ଼ିଶାକୁ ଅପମାନିତ କରିବାକୁ ବିଜେପି ବ୍ୟାକୁଳ ।

ଲେନିନ ମହାନ୍ତି କହିଛନ୍ତି, ରାଷ୍ଟ୍ରୀୟ ସ୍ତରରେ ଓଡ଼ିଶାକୁ ବଦନାମ କରିବାକୁ ବାରମ୍ବାର ଅପଚେଷ୍ଟା କରୁଛନ୍ତି ବିଜେପି ନେତା । ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ନୁହନ୍ତି, ବରଂ ଓଡ଼ିଶା ବିରୋଧୀ ନେତା । ମାନସିକ ଭାରସାମ୍ୟ ହରାଇ ସେ ବାଉଳିଚାଉଳି ହେଉଛନ୍ତି । ରାଜ୍ୟ ବିଜେପି ତାଙ୍କୁ ନେଇ ତୁରନ୍ତ ଚିକିତ୍ସା କରାଉ ବୋଲି ପରାମର୍ଶ ଦେଇଛନ୍ତି ବିଜେଡି ମୁଖପାତ୍ର ।