ଓଡିଶାର ଶିଳ୍ପ ବିକାଶରେ ଅସହିଷ୍ଣୁ ହୋଇପଡିଛି ବିଜେପି: ବିଜେଡି ମୁଖପାତ୍ର

1 min read

ଭୁବନେଶ୍ୱର: ଓଡିଶାର ଶିଳ୍ପ ବିକାଶରେ ଅସହିଷ୍ଣୁ ହୋଇପଡିଛି ବିଜେପି। ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମିଥ୍ୟା ପ୍ରଚାର ଚଳାଇଛି ରାଜ୍ୟ ବିଜେପି। ଓଡିଶାକୁ ଦେଶ ବିଦେଶରେ ବଦନାମ ପାଇଁ ଷଡଯନ୍ତ୍ର କରୁଛି। ନିଜର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ଓଡ଼ିଶାକୁ ବଦନାମ କରିବାର ଅଭ୍ୟାସ ଓଡ଼ିଶା ବିଜେପିର ରହିଛି। ତେଣୁ ଏହା ଜାଣିଶୁଣି ଓଡ଼ିଶାର ଶିଳ୍ପ ବିକାଶକୁ ନେଇ ମିଥ୍ୟା ଓ ମନଗଢ଼ା ପ୍ରଚାର ଚଳାଇଛି। ତେଣୁ ଓଡିଶା ବିଜେପି ଓଡ଼ିଶାବାସୀଙ୍କୁ ଯେଭଳି ବିଭ୍ରାନ୍ତ କରୁଛି ତାହାକୁ ରୋକିବା ପାଇଁ ଓଡ଼ିଶାବାସୀଙ୍କୁ ସତ ଜାଣିବା ନିହାତି ଜରୁରୀ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓ ସୋଫିଆ ଆଲାମ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଗତ ୨୩ ବର୍ଷ ମଧ୍ୟରେ ଶିଳ୍ପାୟନ ଓ ରୋଜଗାର ଯୋଗାଇବା ପଥରେ ଦ୍ରୁତ ଗତିରେ ଅଗ୍ରସର ହୋଇଛି। ୨୦୨୧-୨୨ ବର୍ଷ ପାଇଁ ସର୍ବାଧିକ ରାଜସ୍ୱ ବଳକା ରାଜ୍ୟ ଭାବେ ଓଡିଶା ଭାରତର ଏକ ନମ୍ବର ରାଜ୍ୟ ଭାବେ ପରିଗଣିତ ହୋଇଛି। ଭାରତର ଦ୍ରୁତ ଅଭିବୃଦ୍ଧି ରାଜ୍ୟ ତାଲିକାର ଶୀର୍ଷରେ ରହିଛି ଓଡ଼ିଶା ଏବଂ କ୍ରମାଗତ ଭାବେ ୧୧.୫ ପ୍ରତିଶତ ଅଭିବୃଦ୍ଧି ହାର ସହ ଜାତୀୟ ହାର ଠାରୁ ଅଧିକ ଅଛି।

ସିଏମ୍‌ଆଇଇ କ୍ୟାପେକ୍ସ ଡାଟାବେସ୍ ଏବଂ ସିଆଇଆଇ ଗବେଷଣା ଅନୁଯାୟୀ, ୨୦୨୩-୨୪ ବର୍ଷରେ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ଭାରତର ଦ୍ୱିତୀୟ ସ୍ଥାନରେ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ୨୦୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ସହାୟତାରେ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିବା କ୍ଷେତ୍ରରେ ଓଡ଼ିଶା ଭାରତର ତୃତୀୟ ଶୀର୍ଷ ରାଜ୍ୟ ଭାବେ ଉଭା ହୋଇଛି। ଏହା ଆର୍ଥିକ କ୍ଷେତ୍ରରେ ରାଜ୍ୟର ବଢୁଥିବା ବିଶ୍ୱସନୀୟତା ଏବଂ ଆକର୍ଷଣର ପ୍ରମାଣ।

ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଉଥିବା ବେଳେ ଇସ୍ପାତ ଉତ୍ପାଦନ ୧୫ ଗୁଣ ବୃଦ୍ଧି ପାଇଛି ଏବଂ ଆଲୁମିନା ଓ ଆଲୁମିନିୟମ ଉତ୍ପାଦନ ୭.୮ ଗୁଣ ବୃଦ୍ଧି ପାଇଛି। ଏହି ବିପୁଳ ଅଭିବୃଦ୍ଧି ଭାରତର ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି। ବିଶ୍ୱସ୍ତରୀୟ ସୁବିଧାର ବିକାଶ ଓ ପ୍ରଗତି ଚାଲିଛି, ଶିଳ୍ପାୟନ ଓ ଏହା ଦ୍ୱାରା ରାଜ୍ୟ ପାଇଁ ଅଧିକ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବାରେ ଲାଗିଛି ଏହା ହେଉଛି ତାହାର ଏକ କ୍ଷୁଦ୍ର ଝଲକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଯେଉଁ ଭଲ କାମ କରିଆସୁଛି ସେଥିପାଇଁ ଓଡ଼ିଶାବାସୀ ଅତ୍ୟନ୍ତ ଗର୍ବିତ । କିନ୍ତୁ ଦୁର୍ଭାଗ୍ୟବଶତଃ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡ଼ିଶାକୁ ଭାରତ ତଥା ବିଶ୍ୱସ୍ତରରେ ବଦନାମ କରିବା ପାଇଁ ଓଡ଼ିଶା ବିଜେପି ଅଭ୍ୟାସଗତ ଭାବେ ମିଥ୍ୟା ପ୍ରଚାର କରିବାରେ ଲାଗିଛି।