ଖାଇବା ତେଲ ପରେ ଏବେ ମହଙ୍ଗା ହେଲା ଲେମ୍ବୁ

ନୂଆଦିଲ୍ଲୀ: ଦେଶରେ ଏବେ ଲେମ୍ବୁ ଦର ଆକାଶଛୁଆଁ । ଅନେକ ରାଜ୍ୟରେ ଲେମ୍ବୁ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଖରା ତାତି ବଢିବା ସହ ଲେମ୍ବୁ ଦର ବୃଦ୍ଧିରେ ଖାଉଟି ଅତିଷ୍ଠ । ଚୈତ୍ର ନବରାତ୍ରି ଓ ରମଜାନ ସମୟରେ ଲେମ୍ବୁ ଦର ବୃଦ୍ଧି ଗଭୀର ଜନ ଅସନ୍ତୋଷ ସୃଷ୍ଟି କରିଛି । ଗୁଜରାଟ, ରାଜସ୍ଥାନ ଓ ରାଜଧାନୀ ଦିଲ୍ଲୀରେ ଅହେତୁକ ଭାବେ ବଢିଛି ଲେମ୍ବୁ ଦର । ଦକ୍ଷିଣ ଭାରତରେ ବି ସମାନ ସ୍ଥିତି ।

ପଶ୍ଚିମ ଓ ଉତ୍ତର ଭାରତରେ ଲେମ୍ବୁ ଦର ଏବେ କିଲୋ ପ୍ରତି ୨ ଶହ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ମହଙ୍ଗା ମାଡ଼ରେ ଖାଉଟି ଅତିଷ୍ଠ ହୋଇଥିବା ବେଳେ ଖରା ତାତି ସାଙ୍ଗକୁ ଏବେ ଦାଉ ସାଧିଛି ଲେମ୍ବୁ ଦର । ଦିଲ୍ଲୀ ଭଳି ସହରରେ ଲେମ୍ବୁ କିଲୋ ପ୍ରତି ୭୦ରୁ ୪୦୦ ଟଙ୍କାରେ ପହଂଚିଗଲାଣି । ଖରା ଦିନେ ଲେମ୍ବୁର ଆବଶ୍ୟକତା ସର୍ବାଧିକ ଥିବା ବେଳେ ଏହାର ଦରବୃଦ୍ଧି ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।