ଭାରତରତ୍ନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଭାରତ, ବୀରଭୂମିରେ ରାହୁଲ ପ୍ରିୟଙ୍କା

1 min read

ନୂଆଦିଲ୍ଲୀ: ‘ପାପା ତୁମେ ସବୁବେଳେ ମୋ ହୃଦୟରେ ଅଛ, ମୋ ସାଙ୍ଗରେ ଅଛ । ତୁମେ ଦେଶ ପାଇଁ ଯାହା ସ୍ବପ୍ନ ଦେଖିଛ ମୁଁ ସବୁବେଳେ ତାକୁ ପୂରଣ କରିବା ପାଇଁ ଚେଷ୍ଟା କରିବି’। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୮ତମ ଜୟନ୍ତୀରେ ଏଭଳି କହିଛନ୍ତି ପୁଅ ରାହୁଲ ଗାନ୍ଧୀ  । ଆଜି ବୀରଭୂମି ଯାଇ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ । ଜ୍ବାଇଁ ରବର୍ଟ ଭଦ୍ରା ମଧ୍ୟ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି  ।

କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ କେସି ବେଣୁଗୋପାଳ ବୀରଭୂମିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି  । ସେ ଟ୍ବିଟ କରି ଲେଖିଛନ୍ତି ‘ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି’ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି  । ଟ୍ବିଟ କରି ନବୀନ କହିଛନ୍ତି ‘ଭାରତ ରତ୍ନ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି  । ତାଙ୍କ ଲିଡରସିପ୍‌ ଓ ଯୋଗଦାନ ପାଇଁ ଦେଶ ତାଙ୍କୁ ମନେ ରଖିବ’  ।

ରାଜୀବଙ୍କ ଜୟନ୍ତୀରେ କଂଗ୍ରେସ ମହାସଚିବ ଜୟରାମ ରମେଶ ତାଙ୍କର କାର୍ଯ୍ୟକାଳକୁ ନେଇ ୬ ଉପଲବ୍ଧି ବିଷୟରେ ସୂଚନା ଦେଇଛନ୍ତି  । ଦେଶରେ କମ୍ପ୍ୟୁଟର, ଦୂରସଞ୍ଚାର, ସଫ୍ଟୱେୟାର, ୧୮ ବର୍ଷରେ ଭୋଟ ଦେବା ଅଧିକାର, ଗଙ୍ଗା ସଫେଇ, ମରୁଭୂମିରେ ବନୀକରଣ ଏସବୁ ଉପଲବ୍ଧି ରାଜୀବଙ୍କ ବୋଲି କହିଛି କଂଗ୍ରେସ  । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବନ୍ଦ କେଜ୍ରିୱାଲ ରାଜୀବଙ୍କୁ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି  ।