୨୫ ଲକ୍ଷ ଟଙ୍କା ପାଇଁ ପାକୁ ମାରିଲା ପ୍ରଫେସର ପୁଅ

1 min read

ଭୁବନେଶ୍ୱର: ବାପାକୁ ମାରିଲା ପ୍ରଫେସର ପୁଅ। ଅତି ଉଚ୍ଚଶିକ୍ଷିତ ପୁଅର କାରନାମାରେ ଚକିତ ଓଡି଼ଶା । ୨୫ ଲକ୍ଷ ଟଙ୍କା ପାଇଁ ବାପାର ଛାତି ଓ ପେଟକୁ ଛୁରୀ ଭୁସି ହତ୍ୟାକଲା ପୁଅ । ଛାତି ଥରାଇଦେଲା ଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ରାଜଧାନୀର ମଞ୍ଚେଶ୍ୱର ଥାନା  ରଙ୍ଗମାଟିଆ ସ୍ଥିତ DHPL ଆପାର୍ଟମେଣ୍ଟରେ । ମୃତକ ସୁନୀଲ ଚୌଧୁରୀ । ନାଲ୍କୋରୁ କିଛି ବର୍ଷ ପୂର୍ବେ ଅବସର ନେଇଥିଲେ । ପୁଅ ଅନିରୁଦ୍ଧ ଚୌଧୁରୀ ଘରୋଇ ବିଶ୍ୱବିଦ୍ୟାଳୟରେ ଥିଲେ ପ୍ରଫେସର। ବାପା ରହୁଥିବା ଆପାର୍ଟମେଣ୍ଟ ଠାରୁ କିଛି ଦୂରରେ ନିଜ ପତ୍ନୀଙ୍କ ସହ ରୁହନ୍ତି ଅନିରୁଦ୍ଧ। ଗତକାଲି ରାତିରେ ବାପାଙ୍କ ଫ୍ଲାଟରେ ପହଞ୍ଚି ୨୫ ଲକ୍ଷ ଟଙ୍କା ମାଗିଥିଲେ ପୁଅ। ବାପା ଏଥିରେ ରାଜି ନହେବାରୁ ଝଗଡା ହୋଇଥିଲା । ଶେଷରେ ଉତକ୍ଷିପ୍ତ ହୋଇ ଡାଇନିଂ ଉପରେ ଥିବା ଛୁରୀରେ ସୁନୀଲଙ୍କ ଛାତି ଓ ପେଟକୁ ଛୁରାମାଡ଼ କରି ହତ୍ୟାକାଣ୍ଡ ଘଟାଇଥିଲେ ଅନିରୁଦ୍ଧ।

ପୁଅ ଅନିରୁଦ୍ଧ ଜଣେ ମିଷ୍ଟଭାଷୀ ତଥା ଜେଏନୟୁରୁ ପାସ ଆଉଟ । ବୈଦେଶିକ ବ୍ୟାପାରର ବିଶେଷଜ୍ଞ ଭାବେ ଟିଭି ଚ୍ୟାନେଲ ମାନଙ୍କରେ ବକ୍ତବ୍ୟ ରଖନ୍ତି । ଘରୋଇ ବିଶ୍ବବିଦ୍ଯାଳୟରେ ପ୍ରଫେସର ପଦବୀରେ ଅବସ୍ଥାପିତ। ହାର୍ଭାର୍ଡ ବିଶ୍ବବିଦ୍ଯାଳୟରୁ ଡକ୍ଟରେଟ ଉପାଧିପ୍ରାପ୍ତ । ବିଦେଶ ନୀତିରୁ ଯୁଦ୍ଧ କୂଟନୀତି ଉପରେ ଦକ୍ଷତା ରହିଛି । ହେଲେ ଗତକାଲି ଏହି ବିଜ୍ଞ ବ୍ୟକ୍ତି ପାଲଟି ଯାଇଥିଲ ସଇତାନ । କିଛି ଅର୍ଥ ପାଇଁ ପିଶାଚ ପାଲଟି ଯାଇ ନିଜ ଜନ୍ମଦାତାଙ୍କୁ କରିଥିଲେ ହତ୍ଯା । ଭୋର ପ୍ରାୟ ୪ଟା ବେଳେ ଘରକୁ କ୍ଷୀର ଆଣି ଆସୁଥିବା ବ୍ୟକ୍ତି ହତ୍ୟାକାଣ୍ଡ ନେଇ ପୋଲିସକୁ ଜଣାଇଥିଲେ । ଆଉ ପୋଲିସ ପହଁଚିବା ବେଳକୁ ହାତରେ ଛୁରି ଧରି ରାଗ ଜର୍ଜରିତ ଅନିରୁଦ୍ଧ ବାପାଙ୍କ ପାଖରେ ବସିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲ ନେବାବେଳକୁ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା । ସେପଟେ ଅଭିଯୁକ୍ତ ପୁଅକୁ ଗିରଫ କରାଯାଇଥିବା ବେଳେ ସାଇଣ୍ଟିଫିକ ଟିମ ଓ ପୋଲିସ ଡିସିପି ପାରିପାର୍ଶ୍ବିକ ପରିସ୍ଥିତିକୁ ଯାଞ୍ଚ କରିଛନ୍ତି।

ସମ୍ଭବତଃ ଏଭଳି ଏକ ଅଘଟଣ ପାଇଁ ଅନିରୁଦ୍ଧ ପୂର୍ବ ପ୍ରସ୍ତୁତି କରିସାରିଥିଲେ। ସେଥିପାଇଁ ଦୁଇ ଦିନ ତଳେ ସେ କାମ କରୁଥିବା ଘରୋଇ ବିଶ୍ବବିଦ୍ଯାଳୟରୁ ଇସ୍ତଫା ଦେଇସାରିଥିଲେ । ସେହିଭଳି ମଙ୍ଗଳବାର ଏକ ଘରୋଇ ଟିଭି ଚ୍ଯାନେଲ ତାଙ୍କୁ ଦେଶରେ ପ୍ରଣୀତ ନୂଆ ଆଇନ ସଂପର୍କରେ ଆଲୋଚନା କରିବାକୁ ଡାକିଥିଲେ । କିନ୍ତୁ ଅନିରୁଦ୍ଧ ସଂପୃକ୍ତ ଚ୍ଯାନେଲକୁ କହିଥିଲେ ଯେ, ତାଙ୍କ ମାନସିକ ଅବସ୍ଥା ଭଲ ନାହିଁ । ତେଣୁ ଭବିଷ୍ଯତରେ ଆଉ କେବେ ତାଙ୍କୁ ଆଲୋଚନାକୁ ଡକା ନଯାଉ । ଏପରି ସ୍ଥିତି ବୟାନ କରୁଛି ଅନିରୁଦ୍ଧ ଚରମ ନିଷ୍ପତ୍ତି ନେଇସାରିଥିଲେ ।