ଶେଷ ହୋଇଗଲା ସଙ୍ଗୀତ ଜଗତରେ ଏକ ଯୁଗ, ପଞ୍ଚଭୂତରେ ବିଲୀନ ପ୍ରଫୁଲ୍ଲ

ଭୁବନେଶ୍ବର: ଓଡ଼ିଶା ସଙ୍ଗୀତ ଜଗତରେ ଶେଷ ହୋଇଗଲା ଏକ ଯୁଗ । ଆରପାରିକୁ ଚାଲିଗଲେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର । ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର । ମୁଖାଗ୍ନୀ ଦେଲେ ବଡ ପୁଅ ମହାଦୀପ କର । ଶେଷକୃତ୍ୟ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ଦାସ ଏବଂ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥଲେ । ଏହା ସହିତ ଅନେକ କଳାକାର ଓ ଆତ୍ମୀୟଙ୍କ ଉପସ୍ଥିତିରେ ପ୍ରଫୁଲ୍ଲ କରଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

ଗତକାଲି ରାତିରେ ୮୩ ବର୍ଷବୟସରେ ପରପାରିକୁ ଚାଲିଯାଇଥିଲେ ପ୍ରଫୁଲ୍ଲ କର । ପ୍ରଫୁଲ୍ଲଙ୍କ ବିୟୋଗ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ ସହ ପରିବାରକୁ ସମବେଦନା ଜଣାଇଛନ୍ତି । ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି ପ୍ରଫୁଲ୍ଲଙ୍କ ପରଲୋକ ।

ସେ ଥିଲେ କମଳ ଦେଶର ରାଜକୁମାର । ମାତ୍ର ୨୧ ବର୍ଷ ବୟସରେ ଆକାଶବାଣୀର ସ୍ବିକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ । ପରେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା । ୭୦ରୁ ଅଧିକ ଓଡ଼ିଆ ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୧୦୦ରୁ ଅଧିକ ଅଣସିନେମା ସଙ୍ଗୀତ ଆଲବମ କରିଛନ୍ତି ପ୍ରଫୁଲ୍ଲ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ୬ ଜଣ କଣ୍ଠଶିଳ୍ପୀ ଶ୍ରେଷ୍ଠ ସିନେ କଣ୍ଠଶିଳ୍ପୀ ପୁରସ୍କାର ପାଇଛନ୍ତି । ସଂଗୀତ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରଫୁଲ୍ଲ ପ୍ରାୟ ଏକ ବର୍ଷ ହାଇକୋର୍ଟରେ ଓକିଲାତି କରିଛନ୍ତି । ପ୍ରଫୁଲ୍ଲଙ୍କ ରୁଚି ଚିତ୍ରକଳା ଓ ରୋଷେଇରେ ବି ଥିଲା ।