spot_img

Latest Posts

କେନ୍ଦ୍ରକୁ ପ୍ରତିଶ୍ରୁତି, ନୂଆ ନିୟମ ପାଳିବ ଟ୍ୱିଟର

ନୂଆଦିଲ୍ଲୀ: ନୂଆ ଆଇଟି ନିୟମକୁ ନେଇ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଏବେ କମିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ଟ୍ୱିଟରକୁ ଫାଇନାଲ ନୋଟିସ୍‌ ଜାରି କରାଯାଇଥିଲା । ଏହି ନୋଟିସରେ ଟ୍ୱିଟରକୁ  କଡ଼ା ଚେତାବନୀ ଦେଇ କୁହାଯାଇଥିଲା ଯେ, ନିୟମ ନ ମାନିଲେ  ପରିଣାମ ଭୋଗିବାକୁ ପ୍ରସ୍ତୁତ ହୋଇଯାଅ ।

ତେବେ କେନ୍ଦ୍ର ସରକାର ଏବଂ ଟ୍ୱିଟର ବିବାଦରେ ପୂର୍ଣ୍ଣଛେଦ ପଡ଼ିଥିବା ଜଣାପଡ଼ିଛି । ଟ୍ୱିଟର ପୂର୍ବରୁ ଭାରତ ସରକାରଙ୍କ ପ୍ରତି ପ୍ରତିଶୃତିବଦ୍ଧ ଥିଲା ଏବଂ ଏବେ ମଧ୍ୟ ରହିଛି ବୋଲି କହିଛନ୍ତି ଟ୍ୱିଟରର ମୁଖପାତ୍ର । କେବଳ ସେତିକି ନୁହେଁ ବରଂ ସେ ଏହା ମଧ୍ୟ କହିଛନ୍ତି ଯେ, ଟ୍ୱିଟର ଭାରତ ସରକାରଙ୍କ ନିୟମ ପାଳନ କରିବା ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଛି । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ଟ୍ୱିଟର ମାନିବା ପାଇଁ ପ୍ରସ୍ତୁତ । ଟ୍ୱିଟର  ଏବେ ଟିକ୍‌ନିକ୍‌ ଖବର  ଭାରତ ସରକାରଙ୍କ ନିକଟରେ ଉପସ୍ଥାପନ ମଧ୍ୟ କରିବ ।

ଅନ୍ୟପଟେ  ପୂର୍ବରୁ ଜାରି ହୋଇଥିବା ନୋଟିସରେ କିଛି ଭିନ୍ନ ଘଟଣା ଦେଖିବାକୁ ମିଳିଥିଲା । ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରର ଭାରତ ସରକାରଙ୍କ ପ୍ରତି ପ୍ରତିଶୃତିବଦ୍ଧତାର ଅଭାବ ଥିବା କଥା ନୋଟିସରେ ଉଲ୍ଲେଖ ଥିଲା ।

ସୂଚନାଯୋଗ୍ୟ, ସୋସିଆଲ ମିଡିଆ କମ୍ପାନୀଗୁଡିକ ପାଇଁ ସରକାର ନୂଆ ଆଇଟି ନିୟମ ଘୋଷଣା କରିଛନ୍ତି। ଏହି ନୂଆ ନିୟମ ଅନୁଯାୟୀ ଟ୍ୱିଟର, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ ଭଳି ବଡ଼ ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକୁ ଅତିରିକ୍ତ ପଦକ୍ଷେପ ନେବାକୁ ପଡିବ। ଏଥିରେ ଭାରତର ମୁଖ୍ୟ ଅନୁପାଳନ ଅଧିକାରୀ, ନୋଡାଲ ଅଧିକାରୀ ଏବଂ ଅଭିଯୋଗ ଅଧିକାରୀଙ୍କ ନିଯୁକ୍ତି ସାମିଲ ରହିଛି ।

ରିପୋର୍ଟ କହୁଛି,   ସୋସିଅଲ ମିଡିଆ ପ୍ଲାଟଫର୍ମର ନୂଆ ନିୟମ ପାଳନ କରିବାକୁ ସମୟସୀମା ଥିଲା ତିନି ମାସ ।  ତେବେ ୫୦ ଲକ୍ଷରୁ ଅଧିକ ୟୁଜର୍ସ ଥିବା ସୋସିଅଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ପାଇଁ ନିୟମ ପ୍ରଯୁଜ୍ୟ । ଟ୍ୱିଟରକୁ ପଠାଯାଇଥିବା ନୋଟିସ୍ ଅନୁସାରେ ଯଦିଓ ଏହି ନିୟମ ୨୦୨୧ ମସିହା, ମେ ମାସ ୨୬ ତାରିଖରୁ କାର୍ଯ୍ୟକାରୀ ହେବ, କିନ୍ତୁ ଟ୍ୱିଟରକୁ ତୁରନ୍ତ ନିୟମ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ସରକାର ଏବଂ ଟ୍ୱିଟର ମଧ୍ୟରେ ହୋଇଥିବା ଆପୋଷ ବୁଝାମଣାରେ ବିଶେଷକରି ୟୁଜର୍ସ ଖୁବ୍‌ ଲାଭବାନ୍‌ ହେବେ । ସେମାନଙ୍କର ସମସ୍ୟା ଜଣାଇବା ଏବଂ ସମାଧାନ କରିବା ଅଧିକ ସହଜ ହୋଇଯିବ ।

Latest Posts

Don't Miss