ଫେସବୁକରେ ଲେଖୁଥିଲେ ମନର କଥା ହେଲେ, କେହି ବୁଝି ପାରିଲେନି

ଭୁବନେଶ୍ୱର: କର୍ପୋରେଟ୍‌ ଦୁନିଆର କାଚଘର ଭିତରେ ତାଙ୍କ ହୃଦୟ ଥିଲା ଖୁବ କୋମଳ। ଟଙ୍କାଭର୍ତ୍ତି ବ୍ୟାଙ୍କର ଭିଡ଼ ଭିତରେ ତାଙ୍କ ଜୀବନ ଥିଲା ଖୁବ୍‌ ନିର୍ଜନ। ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ରଞ୍ଜିତା ରାଓ । ଖୁବ୍‌ ସେନସେଟିଭ୍‌ ତାଙ୍କ ସୋସିଆଲ୍‌ ଲାଇଫ୍‌ । ଏ ହେଉଛି ଆତ୍ମହତ୍ୟା ଦିନର ଶେଷ ଫେସବୁକ୍‌ ପୋଷ୍ଟ। ଅପରାହ୍ଣ ୩ଟା ବାଜି ୧୮ମିନିଟ୍‌ । ବଲିଉଡ୍‌ର ଲାଟେଷ୍ଟ ସ୍ୟାଡ୍‌ ସଙ୍ଗକୁ ସେୟାର କରିଥିଲେ ରଞ୍ଜିତା ।ଆଉ ଏ ହେଉଛି ନଭେମ୍ବର ୧୫ ତାରିଖର ପୋଷ୍ଟ । ହ୍ୱେନ୍ ଆଇ ଡାଏ ।… ମାନେ କେଉଁଦିନ ମୋ ମୃତ୍ୟୁ ହେବ । ପ୍ରତିଟି ପୋଷ୍ଟରେ ଦୁଃଖ, ଯନ୍ତ୍ରଣା ଓ ବିଫଳତାର ଧାଡି ଧାଡ଼ି କାହାଣୀ । କେତେବେଳେ ନିଜ ମନକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ତ ପୁଣି କେତେବେଳେ ନିଜ ମନର ମଣିଷକୁ ନିଜର କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଲଗାତାର କିଛି ମାସ ହେଲା ହୃଦୟର ଗୋଟି ଗୋଟି କଥାକୁ ସେ ଲେଖିବାକୁ ଚେଷ୍ଟା କରିଛନ୍ତି ସୋସିଆଲ୍‌ ମିଡିଆର କାନ୍ଥରେ । କେତେବେଳେ ପ୍ରେମର ଜୁଆର ଭିତରେ ହଜି ଯିବାକୁ ଚେଷ୍ଟା କରିଛନ୍ତି ତ ପୁଣି କେତେବେଳେ ପ୍ରତାରଣାର ବନ୍ୟାରୁ ନିଜକୁ ରକ୍ଷା କରିବାକୁ ପ୍ରୟାସ କରିଛନ୍ତି ସେ ।ମାନ, ଅଭିମାନର କାହାଣୀ ଯେମିତି ତାଙ୍କ ପ୍ରେମୀ ଜୀବନକୁ ଆଚ୍ଛାଦିତ କରି ରଖିଛି । ହେଲେ ଶକ୍ତଝିଅର ମନ ଭାଙ୍ଗି ଯାଉଛି । ରଙ୍ଗୀନ କଭରପେଜ୍‌ରେ ରଞ୍ଜିତାଙ୍କ ରଙ୍ଗ ଫିକା ପଡୁଛି । ଲାଗିଛି ସତେ ଯେମିତି ସେ ହାରି ଯାଉଛନ୍ତି ନିଜ ପ୍ରେମ ପାଖରେ । ଆଉ ତା ପରେ… ଜୀବନ ଓ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ବଢୁଛି । ଯେଉଁଠି ପ୍ରେମ ନାହିଁ, ସେ ଜୀବନର ମାନେ କଣ ।ହୁଏତ ଏମିତି କିଛି ଅବାଞ୍ଛିତ, ଅସମାହିତ ପ୍ରଶ୍ନର ବୁଢୀଆଣି ଜାଲରେ ଛନ୍ଦି ହୋଇ ପଡୁଛନ୍ତି ରଞ୍ଜିତା । ଶେଷରେ ଶେଷ ହେଉଛି ପ୍ରେମ, ମରି ଯାଉଛି ପ୍ରେମିକା ।

Leave a Reply