କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ସାମ୍ବାଦିକଙ୍କୁ ଦେଲେ ଗାଳି, ‘‘ମୁଣ୍ଡ ଖରାପ ହେଇଗଲାଣି… ଶ## ଲାଜ ଲାଗୁନି”

1 min read

ଲକ୍ଷ୍ନୌ: ସବୁ ସୀମା ଟପିଗଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର । ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ଗାଳି କରୁଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ । ଲଖିମପୁର ଖେରୀ ହିଂସା ମାମଲାରେ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଅସ୍ତ୍ରଶସ୍ତ୍ର ରଖିଥିବା ଧାରା ଲାଗିବା ପରେ ଶାଳୀନତା ଭୁଲି ଯାଇଛନ୍ତି ଅଜୟ ମିଶ୍ର । ଲଖିମପୁର ହିଂସା ମାମଲାରେ ଅଜୟ ମିଶ୍ରଙ୍କୁ ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ଗାଳି କରିଥିଲେ ଅଜୟ ।

ଲଖିମପୁରରେ ମଦର ଚାଇଲ୍ଡ କେୟାରର ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ କରିବା ସମୟରେ ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ତାଙ୍କୁ ଏସଆଇଟି ରିପୋର୍ଟ ବିଷୟରେ ପ୍ରଶ୍ନ ପଚାରିଥିଲେ ସେ ସମୟରେ ରାଗି ଯାଇଥିଲେ ଅଜୟ । ସେ କହିଥିଲେ କି, ଏହି ପ୍ରସଙ୍ଗରେ ଏସିଆଇଟିକୁ ପ୍ରଶ୍ନ କର । ସେ ଆହୁରି କହିଥିଲେ କି ‘ ତୁମେ ଶ## ସାମ୍ବାଦିକ ଜଣେ ନିର୍ଦ୍ଦୋଷ ଲୋକଙ୍କୁ ଫସାଇ ଦେଇଛ, ଏପରି କରିବାକୁ ଲାଜ ଲାଗୁନି’ ବୋଲି ସାମ୍ବାଦିକଙ୍କୁ ଗାଳି କରିଥିଲେ ଅଜୟ ମିଶ୍ର ।

ଲଖିମପୁର ଖେରୀ ମାମଲାରେ ମଙ୍ଗଳବାର ଏସଆଇଟି ତଦନ୍ତ ରିପୋର୍ଟ ଆସିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପାଇଁ ଅଡୁଆ ବଢ଼ିଯାଇଛି । ଯୋଜନାବଦ୍ଧ ଭାବରେ ଆଶିଷ ମିଶ୍ର ଏପରି କରିଛନ୍ତି ବୋଲି ଏସଆଇଟି ତଦନ୍ତ ରିପୋର୍ଟରେ ଦର୍ଶାଇଛି । ଏସଆଇଟିର ଯାଞ୍ଚ ରିପୋର୍ଟ ଆସିବା ପରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଦିଲ୍ଲୀ ଡକାଇଛନ୍ତି ହାଇକମାଣ୍ଡ । ଲଖିମପୁର ଖେରୀ ଘଟଣାରେ ଆଜି ଅଜୟ ମିଶ୍ର ଇସ୍ତଫା ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

 

Leave a Reply