ଲଖିମପୁର ଖେରି ହିଂସା ମାମଲା: ତୃତୀୟ ଥର ପାଇଁ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲା । ତୃତୀୟ ଥର ଲାଗି ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଦାଦାଗିରି ସଂକ୍ରାନ୍ତ ମାମଲାରେ କ୍ଷୋଭ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ । ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୋର୍ଟ । ଏହି ସ୍ପର୍ଶକାତର ଘଟଣାରେ ଧିମା ତଦନ୍ତ ପ୍ରକ୍ରିୟା ଚାଲିଥିବା ଯୋଗୁ କୋର୍ଟ ଅସନ୍ତୁଷ୍ଟ ହେବା ସହ ବର୍ତ୍ତମାନ ସୁଦ୍ଧା ରହିଥିବା ସାକ୍ଷୀଙ୍କ ସମ୍ପର୍କରେ ସବିଶେଷ ବିବରଣୀ ମାଗିଲେ ସୁପ୍ରିମକୋର୍ଟ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଷ୍ଟାଟସ ରିପୋର୍ଟରେ ସେପରି କିଛି ବିଷୟ ନାହିଁ ବୋଲି ଦର୍ଶାଇବା ସହ ଲ୍ୟାବରେଟୋରି ରିପୋର୍ଟ ବର୍ତ୍ତମାନ ସୁଦ୍ଧା କାହିଁକି ଆସିନାହିଁ ବୋଲି କହିଛନ୍ତି କୋର୍ଟ । ଏହା ସହ ତଦନ୍ତର ସବିଶେଷ ଅଗ୍ରଗତି ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ । ଜଣେ ସ୍ବାଧୀନ ବିଚାରପତିଙ୍କୁ ମାମଲାର ତଦନ୍ତ ଦାୟିତ୍ବ ଦିଆଯାଉ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଲଖିମପୁର ଖେରି ହିଂସା ମାମଲାରେ କାହିଁକି ଭିନ୍ନ ଭିନ୍ନ ଦୁଇଟି ଏଫଆଇଆର ରୁଜୁ ହୋଇଛି ତାହା ବି ଜାଣିବାକୁ ଚାହିଁଛନ୍ତି କୋର୍ଟ ।

ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି । ମାମଲାର ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲି । ଗତ ଶୁଣାଣିରେ କୋର୍ଟ ପ୍ରଶ୍ନ କରିଥିଲେ ଘଟଣା ଦିନ ୪ ହଜାର ୫୦୦ ଲୋକ ଉପସ୍ଥିତ ଥିବାବେଳେ କାହିଁକି ମାତ୍ର ୨୩ ଜଣ ସାକ୍ଷୀ ଅଛନ୍ତି । ଅକ୍ଟୋବର ୩ର ଏହି ଘଟଣାରେ ରାଜ୍ୟ ସରକାରଙ୍କ ତଦନ୍ତ ସନ୍ତୋଷଜନକ ନଥିଲା ବୋଲି କହିଥିଲେ କୋର୍ଟ ।

Leave a Reply