କୃଷିରେ ବ୍ୟବହାର କରନ୍ତୁ ନୂଆ ନୂଆ ଟେକ୍ନୋଲୋଜି; ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

1 min read

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’କୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଚାଷୀଙ୍କୁ ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର କରିବା ସହିତ ଅଧିକ ପରିମାଣରେ ଅଣଧାନ ଅର୍ଥକରୀ ଫସଲ ଚାଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା ଆୟୋଜିତ କୃଷି ଓଡିଶା-୨୦୨୩ ଆଜି ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସେ ଆହୁରି ମଧ୍ୟ କହିଛନ୍ତି, ଟେକ୍‌ନୋଲୋଜି ହେଉଛି ବିକାଶର ଆଧାର। କୃଷି କ୍ଷେତ୍ରରେ ମଧ୍ୟ ଟେକ୍‌ନୋଲୋଜିର ବହୁତ ଆବଶ୍ୟକତା ରହିଛି। କୃଷି ଓ କୃଷକଙ୍କ ଉନ୍ନତି ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ । କୃଷି କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ହୋଇପାରିଛି। ଖାଦ୍ୟରେ ଅଭାବ ଥିବା ଏକ ରାଜ୍ୟରୁ ଆଜି ଆମେ ଖାଦ୍ୟଶସ୍ୟରେ ଏକ ବଳକା ରାଜ୍ୟ ହୋଇ ସାରା ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇ ପାରୁଛୁ।

ଫାର୍ମ ମେକାନାଇଜେସନ ଉପରେ ଗୁରୁତ୍ବ ଦିଆଯାଇ ଫସଲ ଉତ୍ପାଦକତା ବଢାଇବା ପାଇଁ ଉଦ୍ୟମ ଜାରି ରହିଛି । ପଣସ ମିଶନ, ଛତୁ ମିଶନ ଭଳି ସ୍ବତନ୍ତ୍ର ମିଶନ ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୁଷ୍ଟି ନିରାପତ୍ତା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଆମର ମିଲେଟ ମିଶନ ଆଜି ସାରା ଦେଶ ଓ ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି।

‘କୃଷି ଓଡିଶା’ରେ ଉପସ୍ଥିତ ଥିବା WFP, IFAD ଏବଂ FAO ପରି ସଂସ୍ଥାର ପ୍ରତିନିଧିଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ସେମାନଙ୍କ ନିରନ୍ତର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜର ଅଭିଭାଷଣ ରଖି କହିଥିଲେ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ମାଛ, ମାଂସ, ଅଣ୍ଡା ଓ ଦୁଗ୍‌ଧ ଉତ୍ପାଦନରେ ସ୍ବାବଲମ୍ବୀ ହେବା ସହିତ ଚାଷୀ ମାନଙ୍କ ରୋଜଗାର ମଧ୍ୟ ବୃଦ୍ଧି ହୋଇପାରିଛି।

ଓଡିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ,  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିକାଶ ପ୍ରମୁଖ ସଚିବ ଡଃ ଅରବିନ୍ଦ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।