ବିଜେପିର ହିନ୍ଦୁ କାର୍ଡ୍ ବିରୋଧରେ ଏକାଠି ହେଲେ ମୁସଲିମ୍ ଭୋଟର,କଂଗ୍ରେସ ଓ ବାମମୋର୍ଚ୍ଚା ଭୋଟ୍ ଟିଏମସି ଖାତାରେ

କୋଲକୋତା: ମମତା ବାନାର୍ଜୀ ପୁଣି କ୍ଷମତାକୁ ଫେରିଛନ୍ତି । ମମତାଙ୍କୁ ହରାଇବାର ସ୍ୱପ୍ନ ଦେଖୁଥିବା ବିଜେପିର ୨ଶହ ପ୍ଲସ ମିଶନ ୧୦୦ ବି ଛୁଇଁ ପାରିଲା ନାହିଁ । ତେବେ ଏମିତି କେମିତି ହେଲା ? ବିଜେପିର କାର୍ପେଟ୍ ବମିଂ,ଅସନ୍ତୁଷ୍ଠ ଟିଏମସି ନେତାଙ୍କୁ କୋଳାଇ ନେବାର ରଣନୀତି,ହିନ୍ଦୁ ଓ ହିନ୍ଦୁତ୍ୱ କାର୍ଡ୍ କେମିତି ପଶ୍ଚିମବଙ୍ଗରେ ଫେଲ୍ ମାରିଲା ? ଉତ୍ତର ହେଉଛି କ୍ରିୟାର ପ୍ରତିକ୍ରିୟା ।

କ୍ରିୟାର ପ୍ରତିକ୍ରିୟା

ବିଜେପି ପଶ୍ଚିମବଙ୍ଗରେ ହିନ୍ଦୁତ୍ୱ କାର୍ଡ୍ ଖେଳୁଥିଲା । ମମତାଙ୍କ ମୁସଲିମ୍ ତୁଷ୍ଟିକରଣ ନୀତି ବିରୋଧରେ ବିଜେପିର ହିନ୍ଦୁ ଭୋଟ ଧୃବୀକରଣ ରଣନୀତି କାମ ତ’ ଦେଇଛି କିନ୍ତୁ ପଦ୍ମଦଳର କ୍ଷମତା ଦଖଲ ସ୍ୱପ୍ନ କେବଳ ସ୍ୱପ୍ନ ହୋଇ ରହିଯାଇଛି । ହିନ୍ଦୁ ଭୋଟ୍ ଧୃବୀକରଣ ରଣନୀତି ଯଦି କ୍ରିୟା ଥିଲା ତେବେ ଏହା ବିରୋଧରେ ମୁସଲିମ୍ ଭୋଟ୍ ଓ ଧର୍ମନିରପେକ୍ଷ ଭୋଟ୍ ଏକାଠି ହେବା ପ୍ରତିକ୍ରିୟା ଥିଲା ।

ବିଜେପିର ରଣନୀତି ପ୍ରାରମ୍ଭିକ କାଳରେ ଠିକ୍ କାମ କରିଥିଲା । କିନ୍ତୁ ପରେ ଏହା ବ୍ୟାକ୍ ଫାୟାର କରିଥିଲା । ବିଜେପି ଯଦି ହିନ୍ଦୁ ଭୋଟ୍ ହାତେଇବାରେ ସଫଳ ହୋଇଥିଲା ତେବେ ଟିଏମସିକୁ ପାଖାପାଖି ଶତ ପ୍ରତିଶତ ମୁସଲିମ୍ ଭୋଟ୍ ମିଳିଛି କହିଲେ ଭୁଲ ହେବ ନାହିଁ । ପଶ୍ଚିମବଙ୍ଗର ମୁସଲିମ୍ ବିଜେପିକୁ ଭୋଟ୍ ଦେବେ ନାହିଁ ଏହା ଜଣାଶୁଣା କଥା ଥିଲା କିନ୍ତୁ ଓଏସିଙ୍କ ପ୍ରବେଶ ଟିଏମସିକୁ ଅଧିକ ମଜବୁତ କରିଥିଲା । ଓଏସିଙ୍କ ଯୋଗୁ ବିହାରରେ ବିଜେପି କ୍ଷମତାକୁ ଆସିଛି ଏହି ଧାରଣା ପଶ୍ଚିମବଙ୍ଗ ମୁସଲିମଙ୍କ ମଧ୍ୟରେ ବଦ୍ଧପରିକର ହୋଇଥିଲା । ଫଳରେ ସବୁ ମୁସଲିମ୍ ଭୋଟ୍ ଟିଏମସି ଖାତାକୁ ଯାଇଥିଲା । ସେହିଭଳି ଅନେକ କଂଗ୍ରେସ ଓ ବାମମେଣ୍ଟ ସମର୍ଥକ ମଧ୍ୟ କେବଳ ବିଜେପିକୁ ରୋକିବା ପାଇଁ ଟିଏମସିକୁ ଭୋଟ୍ ଦେଇଛନ୍ତି ।

ଯାହା ଏହିଥିରୁ ବୁଝି ହେଉଛି ଯେ, ପଶ୍ଚିମବଙ୍ଗରେ କଂଗ୍ରେସ ଓ ଲେଫ୍ଟ୍ ଫ୍ରଣ୍ଟ୍ ଖାତା ମଧ୍ୟ ଖୋଲି ପାରି ନାହାନ୍ତି । ଫୁରଫୁରା ସରିଫର ଆବ୍ବାସ ସିଦ୍ଦିକି ଓ ଅସଦଉଦ୍ଦିନ ଓଏସିଙ୍କ ନିର୍ବାଚନରେ ପ୍ରବେଶ ମମତାଙ୍କ ପାଇଁ ବରଦାନ ହେଲା ବୋଲି କୁହାଯାଉଛି । କାରଣ ଏହି ଦୁଇ ନେତାଙ୍କ ଅଚାନକ ପଶ୍ଚିମବଙ୍ଗ ରାଜନୀତିର ଏଣ୍ଟ୍ରି ମୁସଲିମଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା । ହିନ୍ଦୁ ଧୃବୀକରଣ ବିରୋଧରେ କେମିତି ମୁସଲିମ୍ ଭୋଟ୍ ଏକାଠି ହୋଇଥିଲା ତାହାର ଉଦାହରଣ ହେଉଛି ଅନ୍ତିମ ପର୍ଯ୍ୟାୟରେ ୪୪ଟି ଆସନ ପାଇଁ ହୋଇଥିବା ଭୋଟ । ଏହି ୪୯ ଆସନ ମଧ୍ୟରୁ ୨୬ କଂଗ୍ରେସ ପାଖରେ ଓ ୧୧ ବାମମେଣ୍ଟ ପାଖରେ ଥିଲା । ଟିଏମସି ପାଖରେ ୧୦ ଆସନ ଥିଲା ।

କିନ୍ତୁ ଏଥର ସବୁ ଆସନ ଟିଏମସି ଖାତାକୁ ଯାଇଛି । ଅର୍ଥାତ ଗଲା ନିର୍ବାଚନ ତୁଳନାରେ ଅଧିକ ୩୭ ଆସନ ଟିଏମସି ପାଇଛି । ମୁସଲିମ୍ ବହୁଳ ୪୯ ଆସନରୁ ୪୯ ଟିଏମସି ଖାତାକୁ ଯିବାରୁ ଅନୁମାନ କରାଯାଇପାରେ ଯେ, କେଉଁଭଳି ଭାବେ ବିଜେପିର ହିନ୍ଦୁ କାର୍ଡ୍ ବିରୋଧରେ ମୁସଲିମ୍ ଭୋଟର ଏକାଠି ହୋଇଥିଲେ

Leave a Reply