ମଞ୍ଚରେ ବିଜେପି ବିଧାୟକଙ୍କୁ ଚାପୁଡା ମାରିଲେ କୃଷକ ନେତା

ଲକ୍ଷ୍ନୌ: ସଭା ମଞ୍ଚରେ ବିଧାୟକଙ୍କୁ ଚାପୁଡା ମାରିଲେ କୃଷକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଏକ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଉତ୍ତରପ୍ରଦେଶ ଉନ୍ନାଓର ବିଜେପି ବିଧାୟକ ପଙ୍କଜ ଗୁପ୍ତା ମଞ୍ଚରେ ବସିଥିବାବେଳେ ତାଙ୍କ ସମ୍ମୁଖକୁ ଜଣେ କୃଷକ ଚାଲିଆସି ଚାପୁଡା ମାରିଥିଲେ । ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ କୁଶାସନ, ଚାଷୀମାରଣ ନୀତି ବିରୋଧରେ ବିଧାୟକଙ୍କୁ ଚାଷୀ ନେତା ମାଡ ମାରିଥିବା କୁହାଯାଇଛି । ତେବେ ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାବେଳେ ଏହି ଘଟଣାକୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି ।

ସଭା ମଞ୍ଚ ଉପରେ ବିଧାୟକଙ୍କୁ ଚାଷୀ ମାଡ ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୃଷକ ଜଣଙ୍କ ବିଧାୟକଙ୍କୁ ଚାପୁଡା ମାରିବା ପରେ କିଛି ଲୋକ ମଞ୍ଚକୁ ଉଠିଯାଇ ଉକ୍ତ କୃଷକଙ୍କୁ କାବୁ କରିଥିଲେ । ତେବେ ଏହି ଘଟଣାକୁ ପ୍ରସଙ୍ଗ କରିଛି ସମାଜବାଦୀ ପାର୍ଟି । ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି କି ଖୋଦ୍ ବିଧାୟକଙ୍କୁ ଜଣେ ଚାଷୀ ନେତା ଚାପୁଡା ମାରିଛନ୍ତି । ଏହି ଚାପୁଡା ବିଧାୟକଙ୍କ ପ୍ରତି ଉଦ୍ଦିଷ୍ଟ ନୁହେଁ ବରଂ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପ୍ରତି ଏକ ଚାପୁଡା । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି, ଦୁର୍ବଳ ପ୍ରଶାସନ ଓ ଏକଛତ୍ରବାଦ ନୀତି ବିରୋଧରେ ଏହାକ ଏକ ପ୍ରତିଫଳନ ବୋଲି ସମାଜବାଦୀ ପାର୍ଟି କହିଛି । ଅନ୍ୟପଟେ ଏହି ମାଡ ଘଟଣା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ବିଧାୟକ ଓ ଚାଷୀ ନେତା ଏକାଠି ବସିଥିବା ଦେଖାଯାଇଥିଲା । ସେ ଚାପୁଡା ମାରି ନଥିଲେ ବରଂ ଆନନ୍ଦରେ ବିଧାୟକଙ୍କୁ ଥାପୁଡାଇଥିଲେ ବୋଲି ଉକ୍ତ ଚାଷୀ ନେତା କହିଛନ୍ତି ।

Leave a Reply