ଛୋଟ ଶିଳ୍ପକୁ ବଡ଼ ସାହସ

1 min read

ଭୁବନେଶ୍ବର: ଦ୍ରୁତ ଗତିରେ ବଢିଚାଲିଛି ଖୋର୍ଦ୍ଧା ଜିଲ୍ଲାରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ । ବୃହତ ଶିଳ୍ପ ତୁଳନାରେ ଏମଏସଏମଇ ସେକ୍ଟରରେ ୩୦ଗୁଣା ଅଧିକ ନିଯୁକ୍ତି ସୁଯୋଗ ଥିବାରୁ ରାଜ୍ୟ ତଥା ଦେଶ ବାହାରର ପୁଞ୍ଜି ଲାଗୁଛି ଖୋର୍ଦ୍ଧା ଜିଲ୍ଲାରେ । ଜିଲ୍ଲାରେ ଏବେ ୧୦ଟି ଶିଳ୍ପାଞ୍ଚଳ କାର୍ଯ୍ୟକ୍ଷମ ଥିବା ବେଳେ ଆଉ ୩ଟି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଶିଳ୍ପାଞ୍ଚଳ ପାଇଁ ଜାଗା ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଏମଏସଏମ୍ଇ ସେକ୍ଟରର ବୃଦ୍ଧି ଯୋଗୁଁ ରୋଜଗାର ବି ବଢିଛି ।

ଖୋର୍ଦ୍ଧା ଜିଲ୍ଲାରେ ପ୍ରସ୍ତୁତି ପଥରେ ଆଉ ୩ଟି ଶିଳ୍ପାଞ୍ଚଳ । ଗୋଡ଼ିପଡ଼ା, ଟାଙ୍ଗୀ ଓ ବେଗୁନିଆ ଅଞ୍ଚଳରେ ଗଢିଉଠିବ ଶିଳ୍ପାନୁଷ୍ଠାନ । ଏମଏସମଏମ୍ଇ ଶିଳ୍ପ ପାଇଁ ଚିହ୍ନଟ ହୋଇଛି ଜାଗା । ଖୁବଶୀଘ୍ର ଇଡ଼କୋ ଲ୍ୟାଣ୍ଡ ବ୍ୟାଙ୍କରେ ଯୋଡ଼ିହେବ ଏହି ତିନୋଟି ଶିଳ୍ପାଞ୍ଚଳ । ଖୋର୍ଦ୍ଧା ଫୁଡ଼ ପାର୍କ ପାଇଁ ପ୍ରକୃଷ୍ଟ ସ୍ଥାନ ହୋଇଥିବା ବେଳେ ଜିଲ୍ଲାରେ ସର୍ଭିସିଙ୍ଗ କାରଖାନା ସବୁଠୁ ଅଧିକ । ଏବେ ଜିଲ୍ଲାର ୧୦ଟି ଶିଳ୍ପାଞ୍ଚଳରେ ଛୋଟ ବଡ଼ ଶିଳ୍ପ ସଂଖ୍ୟା ୧୦ ହଜାର ଉପରେ । ୫୦ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି କେବଳ ଖୋର୍ଦ୍ଧା ଜିଲ୍ଲାର ଏମ୍ଏସଏମ୍ଇ ସେକ୍ଟରରେ । ରାଜ୍ୟ ତଥା ଦେଶ ବାହାରେ ଥିବା ଉଚ୍ଚଶିକ୍ଷିତ ଓଡ଼ିଆ ଏବେ ନିଜ ମାଟିରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ୟର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ମନ ବଳାଇଛନ୍ତି । ରାଜ୍ୟ ସରକାରଙ୍କ ଗୋ-ସ୍ବିଫ୍ଟ ପୋର୍ଟାଲ ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠା ପ୍ରକ୍ରିୟା ସହଜ ହୋଇଥିବାରୁ ଉଦ୍ୟୋଗୀଙ୍କ ସଂଖ୍ୟା ବଢିଚାଲିଛି ।

ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଦୀର୍ଘଦିନର ସମସ୍ୟା 5-T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ପରେ ସମାଧାନ ହୋଇଛି । ତାଙ୍କ ଗସ୍ତ ସମୟରେ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଥିଲେ ପାଣ୍ଡିଆନ । ପାଣି, ବିଜୁଳି, ଟ୍ରକ ପାଇଁ ପାର୍କିଂ, ଟ୍ରାଫିକ ସମସ୍ୟା, ବର୍ଜ୍ୟ ପରିଚାଳନା ସମସ୍ୟାର ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସବୁ ସମସ୍ୟା ସମାଧାନ ପରେ ଅନେକ ପୁଞ୍ଜିପତିଙ୍କ ଲାଇନ ଲାଗୁଛି ଖୋର୍ଦ୍ଧାରେ ଏମ୍ଏସ୍ଏମ୍ଇ ଶିଳ୍ପ ପାଇଁ । ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ, କୃଷି ଭିତ୍ତିକ ଶିଳ୍ପ, କାଗଜ ଶିଳ୍ପ, ରବର ଶିଳ୍ପ, ଖଣି ଓ ଧାତବ କ୍ଷେତ୍ରର ଆନ୍ସିଲାରୀ ଇଣ୍ଡଷ୍ଟ୍ରୀର ଭିଡ଼ ଖୋର୍ଦ୍ଧା ଜିଲ୍ଲାରେ । ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିବାରେ ସରକାର ସହାୟତାର ହାତ ବଢାଇଥିବାରୁ ଖୋର୍ଦ୍ଧାବାସୀ କୃତଜ୍ଞତା ଜଣାଇଛନ୍ତି ।