ଓଟିଭି ଜମି କେଳେଙ୍କାରୀ ଘଟଣା; ବଦଳିଲେ ବେଗୁନିଆ ତହସିଲଦାର

Khordha Sarua

ଖୋର୍ଦ୍ଧା: ବଦଳିଲେ ବେଗୁନିଆ ତହସିଲଦାର । ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡ଼ାଙ୍କୁ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ସ୍ଥାନରେ ପୃଥ୍ୱୀରାଜ ମଣ୍ଡଳ ବେଗୁନିଆର ନୂଆ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଟିଭି ଜମି କେଳେଙ୍କାରୀ ଘଟଣାରେ ପକ୍ଷପାତିତା ନେଇ ତହସିଲଦାରଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ସାରୁଅ ଗ୍ରାମବାସୀ । ମାମଲାର ତଦନ୍ତ କରି ବିବେକାନନ୍ଦଙ୍କୁ ବଦଳି କରାଯାଇଛି ।

OTV Sarua Land Grabbing Case, Khordha District Administration Started Investigation

ଖୋର୍ଦ୍ଧା ଜିଲା ସାରୁଅ ଅଞ୍ଚଳରେ ଜମି କେଳେଙ୍କାରୀ ଘଟଣାରେ ବେଗୁନିଆ ତହସିଲଦାର ମଧ୍ୟସ୍ଥି ସାଜି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ଜମି ହାତେଇବାରେ ପ୍ରତ୍ୟକ୍ଷ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । କେବଳ ଜଗି ମଙ୍ଗତ ଏବଂ ତାଙ୍କ ପରିବାରର ନ୍ୟସ୍ତ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ପାଇଁ ଆଇନକୁ ଭୁଲିଯାଇଥିଲେ ତହସିଲଦାର । ସାଧାରଣ ଜନତାଙ୍କ ସ୍ୱାର୍ଥ ଅପେକ୍ଷା ଓଟିଭି ଏମଡିଙ୍କ ସ୍ୱାର୍ଥରକ୍ଷା ତହସିଲଦାରଙ୍କ ପ୍ରାଥମିକତା ହୋଇଥିଲା । ସ୍ଥାନୀୟ ବାସିନ୍ଦା ଜଳଧର ମହାଭୋଇ ଏବଂ ଅନ୍ୟମାନେ ତହସିଲଦାରଙ୍କ ଏପରି କଳାକାରନାମା ସମ୍ପର୍କରେ ଖୋର୍ଦ୍ଧା ଜିଲାପାଳଙ୍କୁ ଅବଗତ କରାଇଥିଲେ ।

ସ୍ଥାନୀୟ ଜନସାଧାରଣଙ୍କଠାରୁ ଏପରି ଅଭିଯୋଗ ପାଇବା ପରେ ଜିଲାପାଳ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ । ଏହି ତଦନ୍ତରେ ବେଗୁନିଆ ତହସିଲଦାର ସମସ୍ତ ନିୟମକୁ ଆଡେଇ ଦେଇ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ଅନୁକମ୍ପା ପ୍ରଦର୍ଶନ କରିଥିବା ଜଣାପଡିଥିଲା । ଏହି ରିପୋର୍ଟକୁ ଆଧାର କରି ଜିଲାପାଳ ରାଜସ୍ୱ ବିଭାଗକୁ ତହସିଲଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ ।

OTV Sarua Land Grabbing Case, Khordha District Administration Started Investigation

ଏହି ମାମଲାକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ଏଡ଼ାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଜମି ଯାଉଥିବା ଲୋକ ଏବଂ ଅନ୍ୟାନ୍ୟ ପ୍ରଭାବିତଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଶୁଣାଣି କରିବାକୁ ହାଇକୋର୍ଟ କହିଥିଲେ । ମାତ୍ର ତହସିଲଦାର ଏହା ନ କରି ଏପରି ଦିନ ଧାର୍ଯ୍ୟ କରୁଥିଲେ, ଯାହା ଜଗି ମଙ୍ଗତଙ୍କୁ ସୁହାଉଥିଲା । ତହସିଲଦାରଙ୍କ ଏହି ଅନୁକମ୍ପାର ଫାଇଦା ଓଟିଭି ଏମଡିକୁ ମିଳିଥିଲା ।

Leave a Reply