ଉପତ୍ୟକାରେ ସକ୍ରିୟ ଆତଙ୍କବାଦୀ, ସପ୍ତାହକରେ ୮ ଜଣଙ୍କୁ ହତ୍ୟା

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ସକ୍ରିୟ ହୋଇଉଠିଛନ୍ତି ଆତଙ୍କବାଦୀ । ଟାର୍ଗେଟ କିଲିଂ କରି ଆତଙ୍କ ସୃଷ୍ଟି କରିଛନ୍ତି ଆତଙ୍କୀ । ସପ୍ତାହକ ମଧ୍ୟରେ ୮ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । କାଶ୍ମୀର ପଣ୍ଡିତ ଏବେ କାଶ୍ମୀର ଛାଡ଼ି ଅନ୍ୟତ୍ର ପଳାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଲୋକେ କାଶ୍ମୀର ବିମାନ ବନ୍ଦରରେ ଗତକାଲି ପ୍ରବଳ ଭିଡ଼ ଜମାଇଥିଲେ । ଉପତ୍ୟକାରେ ଟାର୍ଗେଟ କିଲିଂ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଦେଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ।

ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଜାମ୍ମୁ ଓ କାଶ୍ମୀର ପ୍ରଶାସନର ଉଚ୍ଚ ଅଧିକାରୀ ଏବଂ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସୀ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ଅମିତ ଶାହ । ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି । ଗୁରୁବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଗୁଇନ୍ଦା ଅଧିକାରୀଙ୍କୁ ମଧ୍ୟ ଭେଟିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ଏପଟେ ସୁରକ୍ଷା ଦାବିରେ ଶ୍ରୀନଗର ଓ ଅନ୍ୟାନ୍ୟ ସ୍ଥାନରେ କାଶ୍ମୀରୀ ପଣ୍ଡିତମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କ୍ୟାମ୍ପରେ ରହୁଥିବା କାଶ୍ମୀରୀ ପଣ୍ଡିତମାନେ ମଧ୍ୟ ଉପତ୍ୟକା ଛାଡ଼ି ଜାମ୍ମୁ ଯିବା ଆରମ୍ଭ କଲେଣି । ଏଭଳି ସ୍ଥିତି ପାଇଁ ସେମାନେ ଉପରାଜ୍ୟପାଳଙ୍କୁ ଦାୟୀ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳ କାଶ୍ମୀର ଉପତ୍ୟକାରେ ଟାର୍ଗେଟ କିଲିଂକୁ ନିନ୍ଦା କରିଛନ୍ତି । ଉପତ୍ୟକାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ବିଭିନ୍ନ ଦଳର ନେତା କହିଛନ୍ତି ।