କର୍ଣ୍ଣାଟକରେ ଅଭୂତପୂର୍ବ ବନ୍ଦ ପାଳନ

ବାଙ୍ଗାଲୋର: କାବେରୀ ନଦୀ ଜଳ ବିବାଦ । କର୍ଣ୍ଣାଟକରେ ଅଭୂତପୂର୍ବ ବନ୍ଦ ପାଳନ । ପ୍ରାୟ ୨ ହଜାର ସଂଗଠନ, ରାଜନୈତିକ ଦଳ ପକ୍ଷରୁ ଆହୂତ ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଛି । ସାରା ରାଜ୍ୟରେ ବନ୍ଦକୁ ବିପୁଳ ସମର୍ଥନ ମିଳିଥିବା ଦେଖାଯାଇଛି । ରାଜଧାନୀ ବେଙ୍ଗାଳୁରୁ ସମେତ ସମସ୍ତ ସହରରେ ଜନଜୀବନ ଠପ୍ ହୋଇଛି । ପ୍ରାୟ ୨୦୦ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଆନ୍ଦୋଳନକାରୀ ।

ମାଣ୍ଡ୍ଯାରେ ଆନ୍ଦୋଳନକାରୀମାନେ ରାସ୍ତାରେ ଗଡ଼ିଗଡ଼ି ପ୍ରତିବାଦ କରିଛନ୍ତି । ବନ୍ଦ ଯୋଗୁ ବସ୍, ଟ୍ରେନ, ବିମାନ ଚଳାଚଳ, ସ୍କୁଲ, କଲେଜ, ସମସ୍ତ ସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି । ୪୪ଟି ବିମାନର ଉଡାଣ ବାତିଲ ହୋଇଛି । କନ୍ନଡ ଓକୁତା ମଞ୍ଚ ପକ୍ଷରୁ ଡାକରା ଦିଆଯାଇଥିବା ଏହି ବନ୍ଦ ଯୋଗୁ ସାରା ରାଜ୍ୟରେ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଛି । ତାମିଲନାଡୁକୁ କାବେରୀ ଜଳ ଛାଡିବା ଲାଗି ନିର୍ଦ୍ଦେଶ ପ୍ରତିବାଦରେ ଏହି ବନ୍ଦ ପାଳନ ହେଉଛି । ରାଲି, ପ୍ରତିବାଦ ଆନ୍ଦୋଳନ, ଏକାଠି ହେବା ଉପରେ ରୋକ୍ ଲଗାଇଛି ପୋଲିସ । ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି ହୋଇଛି ।

ବନ୍ଦକୁ ଏପରକି ଓଲା, ଉବେର ବି ସମର୍ଥନ କରିବା ଦେଖାଯାଇଛି । ସେହିପରି ୩୨ଟି ଘରୋଇ ପରିବହନ ୟୁନିଅନ ବି ବନ୍ଦକୁ ସମର୍ଥନ କରିଛନ୍ତି । ସାରା ରାଜ୍ୟରେ ହୋଟେଲ ସେବା ବନ୍ଦ ଲାଗି ପୂର୍ବରୁ ନିଷ୍ପତ୍ତି ନେଇଥିଲା କର୍ଣ୍ଣାଟକ ହୋଟେଲ ଓନର୍ସ ଆସୋସିଏସନ । ଆନ୍ଦୋଳନରେ ବି ସାମିଲ ହୋଇଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରେମ ।