କର୍ଣ୍ଣାଟକରେ ବୁଥ୍ ବାହୁଡ଼ା ମତ ବିଜେପି ପାଇଁ ନୁହେଁ ଶୁଭ, ୫ ବର୍ଷ ପରେ ପୁଣି କଂଗ୍ରେସ ଗଢ଼ିପାରେ ସରକାର

1 min read

ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ସରକାର ଗଠନ କରିବ ? କାହର ହେବ ରାଜତିଳକ । ଯଦି ବୁଥ୍ ବାହୁଡ଼ା ମତକୁ ବିଶ୍ୱାସ କରାଯାଏ ତେବେ ଖବର ବିଜେପି ପାଇଁ ନିଶ୍ଚିତ ଭାବେ ଭଲ ନୁହେଁ । ବିଭିନ୍ନ ଏଗଜିଟ୍ ପୋଲ କଂଗ୍ରେସ ସର୍ବାଧିକ ଆସନ ଜିତିବ ବୋଲି କହୁଥିବା ବେଳେ ବିଜେପିକୁ ରନର୍ସ ଅପ୍ ବୋଲି ପ୍ରୋଜେକ୍ଟ କରୁଛନ୍ତି । ଅନ୍ୟପକ୍ଷରେ ଏଗଜିଟ୍ ପୋଲ୍ ଅନୁସାରେ ୨୦୧୮ ଭଳି ଏଥରକ ମଧ୍ୟ ଜେଡିଏସ୍ କିଙ୍ଗ୍ ମେକର ଭୂମିକାରେ ଅବତ୍ତିର୍ଣ୍ଣ ହେବ । କର୍ଣ୍ଣାଟକରେ ରାଜସ୍ଥାନ ଭଳି ପ୍ରତି ପାଞ୍ଚ ବର୍ଷରେ କ୍ଷମତା ପରିବର୍ତ୍ତନର ପରମ୍ପରା ରହିଛି । ତେବେ ବିଜେପି ୩୮ ବର୍ଷର ଏହି ଧାରା ଉପରେ ପୂର୍ଣ୍ଣଛେଦ ଟାଣିବ ବୋଲି ଆଶା କରିଥିଲା । କିନ୍ତୁ ଏଗଜିଟ୍ ପୋଲ୍ ବିଜେପିକୁ ନିଶ୍ଚୟ ନିରାଶ କରିବ।

ଏଗଜିଟ୍ ପୋଲ୍ କ’ଣ କହୁଛି  ?

ଏଗଜିଟ୍ ପୋଲ୍ ଅନୁସାରେ କର୍ଣ୍ଣାଟକରେ ସରକାର ଗଠନ ପାଇଁ ଆବଶ୍ୟକ ପୂର୍ଣ୍ଣ ବହୁମତ କାହାରିକି ମଧ୍ୟ ମିଳୁନାହିଁ । ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ବିଧାନସଭାରେ ୨୨୪ ଆସନ ଥିବା ବେଳେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୧୧୩। ଜନ୍ କି ବାତ୍ ଅନୁସାରେ କଂଗ୍ରେସକୁ ୯୧ରୁ ୧୦୬, ବିଜେପିକୁ ୯୪ରୁ ୧୧୭ ଓ ଜେଡିଏସକୁ ୧୪ରୁ ୨୪ ଆସନ ମିଳିବ। ସେହିଭଳି ଜି ନ୍ୟୁଜ୍ ଅନୁସାରେ ବିଜେପିକୁ ୭୯-୯୪,କଂଗ୍ରେସକୁ ୧୦୩-୧୧୮ ଓ ଜେଡିଏସକୁ ୨୫-୩୩ ଆସନ, ସି-ଭୋଟର ବିଜେପିକୁ ୬୬ରୁ ୮୬, କଂଗ୍ରେସକୁ ୮୧ରୁ ୧୦୧ ଓ  ଜେଡିଏସକୁ ୨୦ରୁ ୨୭ ଆସନ ମିଳିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଟିଭି-୯ ଭାରତ ବର୍ଷ ବିଜେପିକୁ ୮୮ରୁ ୯୮ ,କଂଗ୍ରେସକୁ ୯୯ରୁ ୧୦୯ ଓ ଜେଡିଏସକୁ ୨୧ରୁ ୨୬ ଆସନ ମିଳିବ ବୋଲି ଭବିଷ୍ୟବାଣୀ କରିଛି । ରିପବ୍ଲିକ୍ ଟିଭି ଅନୁସାରେ ମଧ୍ୟ ବିଜେପି ସରକାର ଗଠନ ରେସରେ ପଛରେ ଅଛି। ଏହା ଅନୁସାରେ ବିଜେପିକୁ ୮୫ରୁ ୧୦୦, କଂଗ୍ରେସକୁ ୯୪ରୁ ୧୦୮ ଓ ଜେଡିଏସକୁ ୨୪ରୁ ୩୨ ମିଳିବ।

ଜେଡିଏସ୍ କିଙ୍ଗ୍ ମେକର ?

ପ୍ରାୟ ସବୁ ଏଗଜିଟ୍ ପୋଲ୍ କୌଣସି ଦଳକୁ ଏକକ ସଂଖ୍ୟା ଗରିଷ୍ଠତା ଦେଉନାହାନ୍ତି । କଂଗ୍ରେସ ଏଗଜିଟ୍ ପୋଲରେ ଆଗରେ ଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ୧୧୩ ସଂଖ୍ୟାରୁ ଦୁରରେ ରହୁଛି । ଏମିତିରେ ପାଖାପାଖି ୨୫ ଆସନ ଜିତିବା ନେଇ ଯେଉଁ ଜେଡିଏସ ବାବଦରେ ଏଗଜିଟ୍ ପୋଲ୍ କହୁଛନ୍ତି ସେହି ଦଳ କିଙ୍ଗ୍ ମେକର ଭୂମିକାରେ ଅବତିର୍ଣ୍ଣ ହେବାର ଯଥେଷ୍ଠ ସମ୍ଭାବନା ରହିଛି । ଏଠାରେ ଉଲ୍ଲେଖନୀୟ ଯେ, ୨୦୧୮ରେ ଜେଡିଏସ୍ କିଙ୍ଗ୍ ମେକର ଭୂମିକା ନିର୍ବାହ କରିଥିଲା ।