ବଢ଼ିଲା ହିଜାବ ବିବାଦ: ୟୁନିଫର୍ମକୁ ବାଧ୍ୟତାମୂଳକ କଲେ ସରକାର

1 min read

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଢ଼ିଲା ହିଜାବ ଓ ସ୍କାର୍ଫ ବିବାଦ । ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧି କଲେଜ ଆସିବା ଓ ହିନ୍ଦୁ ଛାତ୍ରମାନେ ଗୈରିକ ସ୍କାର୍ଫ ପକାଇ କଲେଜ ଆସିବାକୁ ନେଇ ତୀବ୍ର ବିବାଦ ଦେଖାଦେବାରୁ କର୍ଣ୍ଣାଟକ ସରକାର ଏହି ପୋଷାକ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଏହି ଧରଣର ପୋଷାକ ସମାନତା, ଏକତା ଓ ସର୍ବସାଧାରଣ ନିୟମକୁ ଉଲ୍ଲଂଘନ କରୁଛି ବୋଲି ସରକାର ଦର୍ଶାଇଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି, କର୍ଣ୍ଣାଟକ ଶିକ୍ଷା ଆଇନ-୧୯୮୩ର ଧାରା ୧୩୩(ଖ) ଅନୁସାରେ ଏକ ୟୁନିଫର୍ମ ଷ୍ଟାଇଲର ପୋଷାକ ପିନ୍ଧିବା ବାଧ୍ୟତାମୂଳକ ।

ଘରୋଇ ଶିକ୍ଷା ପ୍ରତିଷ୍ଠାନର କର୍ତ୍ତୃପକ୍ଷ ଚୟନ କରିଥିବା ୟୁନିଫର୍ମ ଛାତ୍ରଛାତ୍ରୀ ପିନ୍ଧିବା ସହ ଡ୍ରେସକୋଡ ମାନିବାକୁ ବାଧ୍ୟ । ସମାନତା, ଏକତା, ସର୍ବସାଧାରଣ ଆଇନ ଉଲ୍ଲଂଘନ ହେବା ପରି ଯଦି କୌଣସି ପୋଷାକକୁ ପ୍ରତିଷ୍ଠାନ କର୍ତ୍ତୃପକ୍ଷ ଚୟନ କରି ନାହାନ୍ତି ତେବେ ଛାତ୍ରଛାତ୍ରୀ ନିୟମ ଅବମାନନା କରିପାରିବେ ନାହିଁ । ସରକାରଙ୍କ ପକ୍ଷରୁ କୁହାଯାଇଛି, ଗତ କିଛି ଦିନ ଧରି ରାଜ୍ୟର କେତେକ ଶିକ୍ଷାନୁଷ୍ଠାନରେ ଛାତ୍ର ଓ ଛାତ୍ରୀମାନେ ସେମାନଙ୍କ ଧର୍ମକୁ ପାଥେୟ କରି ପୋଷାକ ପିନ୍ଧୁଥିବାର ନଜର ଶିକ୍ଷା ବିଭାଗ ନିକଟକୁ ଆସିଛି । ଏହା ସମାନତା ଓ ଏକତା ଉପରେ ଆଘାତ ସୃଷ୍ଟି କରୁଛି ।

ଗତମାସରେ କର୍ଣ୍ଣାଟକ ଉଡୁପି ଓ ଚିକମାଗାଲୁରୁରେ କେତେକ ଛାତ୍ରୀ ହିଜାବ ପିନ୍ଧି କଲେଜ ଆସିବା ପରେ ଦକ୍ଷିଣପନ୍ଥୀ ସଂଗଠନର ଛାତ୍ରମାନେ ତାହାକୁ ବିରୋଧ କରିଥିଲେ । ପ୍ରତିବାଦରେ କିଛି ଛାତ୍ର ଗୈରିକ ସ୍କାର୍ଫ ପକାଇ କଲେଜ ଆସିଥିବା ପରିଲକ୍ଷିତ ହୋଇଥିଲା । ଗତକାଲି ଉଡୁପି ଜିଲ୍ଲାର କୁଣ୍ଡାପୁରରେ କିଛି ଛାତ୍ରଛାତ୍ରୀ ଗୈରିକ ସ୍କାର୍ଫ ପକାଇ ଜୟ ଶ୍ରୀରାମ ଧ୍ୱନି ଦେଇଥିଲେ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଆଇନ ଓ ଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ହିଜବ ଓ ସ୍କାର୍ଫ ବିବାଦ ଯୋଗୁ ଯେପରି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡିବ ନାହିଁ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ହିଜବ ଉପରେ କଟକଣାକୁ ବିରୋଧ କରି ଉଡୁପିର କିଛି ଛାତ୍ରୀ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ ତାହାର ଶୁଣାଣି ଆସନ୍ତା ମଙ୍ଗଳବାର ହେବ । ଛାତ୍ରୀମାନଙ୍କ ହିଜବ ପିନ୍ଧିବା ଘଟଣାକୁ ବିଜେପି ତାଲିବାନୀକରଣ କହିଥିବା ବେଳେ ହିଜାବକୁ କଂଗ୍ରେସ ସମର୍ଥନ କରିଛି ।

ଏଥିସହିତ ପଢ଼ନ୍ତୁ: ବର୍ଷା ପରେ ଲେଉଟିଲା ଶୀତ, ଆହୁରି ୩ରୁ ୪ଂ କମିପାରେ ତାପମାତ୍ରା

Leave a Reply