କାମାକ୍ଷାନଗର: ବର୍ଷା ଦିନରେ ଜଳ କଷ୍ଟ । ଫେଲ ମାରିଛି ସରକାରଙ୍କ ହରଘର ଜଳ ଯୋଜନା । ୩୦ରୁ ଊର୍ଦ୍ଧ୍ୱ ପରିବାର ପାଇଁ ଭରସା ସାଜିଛି ପୋଖରୀର ଦୂଷିତ ପାଣି । ଢେଙ୍କାନାଳ କାମାକ୍ଷାନଗର ଶବରସାହିରୁ ସାମ୍ନାକୁ ଆସିଛି ଏପରି ଏକ ଅଭାବନୀୟ ଘଟଣା ।
କାମାକ୍ଷାନଗର ବ୍ଲକ ଆମ୍ବଖୋଲ କାଟେଣି ଶବର ସାହିରେ ପାନୀୟ ଜଳ ସମସ୍ୟା । ରାତି ପାହିଲେ ଗରା ବାଲଟି ଧରି ଗାଁ ପାଖ ପୋଖରୀଙ୍କୁ ଧାଉଁଛନ୍ତି ମହିଳା। ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ନିମନ୍ତେ ଥିବା ଜଳ ପ୍ରକଳ୍ପ ଅଚଳ ଅବସ୍ଥାରେ ପଡ଼ି ରହିଛି। ଏକମାତ୍ର ଭରସା ସାଜିଥିବା ନଳକୂପରୁ ମଧ୍ୟ ଆବଶ୍ୟକ ପରିମାଣରେ ପାଣି ବାହାରୁନି। ଯେତିକି ପାଣି ବାହାରୁଛି, ତାହା ତେଲିଆ ଆସୁଛି l ଫଳରେ ଗାଁ ଲୋକେ ବାଧ୍ୟ ହୋଇ ପୋଖରୀର ଦୂଷିତ ପାଣି ବ୍ୟବହାର କରୁଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ, ଜଳ ପ୍ରକଳ୍ପ ଅଚଳ ହେବାର ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେଲାଣି। ହେଲେ ଏହାକୁ ମରାମତି କରିବା କିମ୍ବା ବିକଳ୍ପ ପାନୀୟଜଳ ବ୍ୟବସ୍ଥା କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଶୀଘ୍ର ଏହାକୁ ମରାମତି କରି ପାଣି ଯୋଗାଇବାକୁ ଦାବି କରିଛନ୍ତି ଗ୍ରାମବାସୀ। ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଅଁଳାବେରେଣି ସରପଞ୍ଚ କହିଛନ୍ତି।
ଏଠି ପ୍ରଶ୍ନ ଉଠୁଛି, ଯଦି ବର୍ଷେ ଧରି ଲୋକେ ପୋଖରୀ ପାଣି ପିଇବେ, ତେବେ ଯୋଜନା କାହା ପାଇଁ ? କେବେ ପ୍ରଶାସନର ନିଦ ଭାଙ୍ଗିବ ? କେବେ ଶବର ସାହିରେ ପାନୀୟ ଜଳ ଯୋଗାଣ ହେବ ? ତାକୁ ଅପେକ୍ଷା…।

