ମହଙ୍ଗା ପଡ଼ିଲା ଜାଲ ପ୍ରମାଣପତ୍ର ଦେବା, ଏଥର ଯିବ ଅଧ୍ୟାପକଙ୍କ ଚାକିରି

1 min read

ଅନୁଗୁଳ: ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିଲେ ଅନୁଗୁଳ ଜିଲ୍ଲା ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର । ସେ ତାଙ୍କ ପିଜି ମାର୍କସିଟର ଦୁଇଟି ବିଷୟରେ ଜାଲିଆତି କରି ଚାକିରି କରିଥିଲେ । ତେବେ ଏହି କଥା ଜଣାପଡ଼ିବା ପରେ ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ରଙ୍କ ବିରୋଧରେ ଆରମ୍ଭ ହୋଇଛି ତଦନ୍ତ । ଅଧ୍ୟାପକଙ୍କ ବିରୋଧରେ ଥାନାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ନାମରେ ଏତଲା ଦେବାକୁ ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ ବିକାଶ ଚନ୍ଦ୍ର ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏମ.ଏ. ମାର୍କସିଟ୍ ଓ ପ୍ରମାଣପତ୍ର ଦେଇ ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟରେ ଅର୍ଥନୀତି ଅଧ୍ୟାପକ ଭାବେ ଚାକିରି କରିଥିଲେ । ତେବେ ସେ ଦେଇଥିବା ପ୍ରମାଣପତ୍ରରେ ଜାଲିଆତି ଥିବା ଅଭିଯୋଗ ଉଠିଥିଲା । ଏହା ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଓ ଆସିଷ୍ଟାଣ୍ଡ ରେଜିଷ୍ଟ୍ରାରଙ୍କୁ ଏହାର ଯାଞ୍ଚ ପାଇଁ ଚିଠି ଲେଖାଯାଇଥିଲା । ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ସେ ଦାଖଲ କରିଥିବା ମାର୍କସିଟ୍ ଓ ପ୍ରମାଣପତ୍ରରେ ଜାଲିଆତି ହୋଇଛି । ସେ ଦୁଇଟି ବିଷୟରେ ମାର୍କ ବଢ଼ାଇ ଦେଇଥିଲାବେଳେ ସମୁଦାୟ ମାର୍କରେ ବି ଜାଲିଆତି କରିଛନ୍ତି । ବ୍ଲକ ଗ୍ରାଣ୍ଟରେ ଗ୍ରାଣ୍ଟ-ଇନ୍-ଏଡ୍ ପାଇବାକୁ ସେ ଏମିତି କାରସାଦି କରିଥିବା ଜଣାପଡ଼ିଛି । ଏହା ଏକ ଅପରାଧ ହୋଇଥିବାରୁ ତାଙ୍କ ବିରୋଧରେ ତୁରନ୍ତ ଏତଲା ଦେବାକୁ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଅନୁଗୁଳ ଉପଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ପାଇବା ପରେ ଆଜି ଉପ-ଜିଲ୍ଲାପାଳ ବୈତୁରା ଦୀପ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଆଜି ଜଣେ ଡେପୁଟି କଲେକ୍ଟରଙ୍କ ନେତୃତ୍ୱରେ ଏକ ଟିମ୍ କଲେଜ ଯାଇ ତଦନ୍ତ କରିଥିବା ବେଳେ ବିକାଶ ଚନ୍ଦ୍ର ମିଶ୍ର କିନ୍ତୁ ଅନୁପସ୍ଥିତ ଥିଲେ ।  ସେ ଏଥିପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ମଧ୍ୟ ନେଇଥିବା ଜଣା ପଡ଼ିଛି । ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବର୍ତ୍ତମାନ ସୁଧା କୌଣସି ନିର୍ଦ୍ଦେଶ ମିଳି ନଥିବା ଅନୁଗୁଳ ଉପ-ଜିଲ୍ଲାପାଳ ବୈତୁରା ଦୀପ କହିଛନ୍ତି । ଘଟଣାର ତଦନ୍ତ କରାଯାଇଛି । ଯେଉଁଥିରେ ବିକାଶ ଚନ୍ଦ୍ର ମିଶ୍ର ମାର୍କସିଟରେ ମାର୍କ ଟ୍ୟାମ୍ପରିଙ୍ଗ କରିଥିବା ଜଣାପଡ଼ିଛି । ଏଥିପାଇଁ ତାଙ୍କ ବିରୋଧରେ ଡିପାର୍ଟମେଂଟଲି ଆକ୍ସନ ନେବା ସହ ତାଙ୍କ ବିରୋଧରେ ଏତଲା ଦେବାକୁ ଅଧ୍ୟକ୍ଷଙ୍କୁ ଉପ-ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।