ସରିଲା ମା ଦଣ୍ଡ କାଳୀଙ୍କ ୧୩ ଦିନାତ୍ମକ ଦଣ୍ଡ ଯାତ୍ରା

ବାଲିଗୁଡ଼ା: ସରିଲା ମା ଦଣ୍ଡ କାଳୀଙ୍କ ୧୩ ଦିନାତ୍ମକ ଦଣ୍ଡ ଯାତ୍ରା । ଶନିବାର ମା’ଙ୍କ ମେରୁ ଯାତ୍ରା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମା ଦକ୍ଷିଣ କାଳୀଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ମେରୁ ଯାତ୍ରା । ଏପ୍ରିଲ ୧ ତାରିଖରୁ ମା’ଙ୍କ ଦଣ୍ଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ମେରୁ ଯାତ୍ରାରେ ଉଦଯାପିତ ହୋଇଛି। ୧୩ ଦିନ ଧରି ଦଣ୍ଡୁଆମାନେ ନିଷ୍ଠାର ସହ ମା’ଙ୍କ ସେବା କରିଥାନ୍ତି । ଏହି ମେରୁ ଯାତ୍ରାରେ ୧୬ ଦଣ୍ଡ ଭାଙ୍ଗିବା ପରେ ଶିବ ଓ ଶକ୍ତିଙ୍କୁ ନେଇ ପାଣି ଦଣ୍ଡକୁ ଯାଆନ୍ତି ଦଣ୍ଡୁଆ । ସେଠାରୁ ଫେରିବା ପରେ ମା ଦକ୍ଷିଣ କାଳୀଙ୍କ ମନ୍ଦିର ପରିସରରେ ଯଥା ନିତି ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମ କାର୍ଯ୍ୟ ଅନୁଷ୍ଠିତ ହୁଏ । ଶେଷରେ ପାଟ ଭୋକ୍ତା ଖିରରେ ଗାଧୋଇବା ପରେ ଯଜ୍ଞ କୁଣ୍ତର ବ୍ରହ୍ମ ଅଗ୍ନିରେ ଝାସ ଦିଅନ୍ତି । ହଜାର ହଜାର ଭକ୍ତ ଶ୍ରଦ୍ଧାଳୁମାନେ ମାଆଙ୍କ ମେରୁ ଯାତ୍ରାରେ ଯୋଗଦେଇ ମାଆଙ୍କ କୃପା ଲାଭ କରିଛନ୍ତି । ଏହି ମେରୁ ଯାତ୍ରାରେ ବର୍ଷର ନୁଆ ଆମ୍ବ, ଖଜୁରୀ କୋଳି ପୂଜା ହୋଇଥାଏ। ନୂଆ ଫଳ ପୂଜା ହେବାପରେ ଅଞ୍ଚଳବାସୀ ଏହାକୁ ସେବନ କରିଥାନ୍ତି ।