ଋଷ ସୈନିକଙ୍କୁ ଜେଲେନସ୍କିଙ୍କ ଚେତାବନୀ: ଜୀବନ ବଞ୍ଚାଇ ପଳାଅ

1 min read

କିଭ୍: ୬୭ ଦିନରେ ପହଞ୍ଚିଛି ୟୁକ୍ରେନ ଯୁଦ୍ଧ । ଏହାର ଅନ୍ତ କେବେ ହେବ, ତାହା ଅନ୍ଧାରରେ । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଧମକକୁ ନେଇ ସବୁଠି ଚର୍ଚ୍ଚା । ଋଷିଆର ସୈନ୍ୟଙ୍କୁ ଖୋଲା ଧମ ଦେଇଛନ୍ତି ଜେଲେନସ୍କି । କହିଛନ୍ତି- ୟୁକ୍ରେନରେ ଲଢୁଥିବା ସବୁ ଋଷୀୟ ସୈନ୍ୟ ଜୀବନ ବଞ୍ଚାଇ ପାରିବେ । ୟୁକ୍ରେନରେ ମରିବା ଅପେକ୍ଷା ଋଷିଆରେ ବଞ୍ଚିବାର ଅଧିକାର ସେମାନଙ୍କର ରହିଛି । ଗତ କିଛିଦିନ ମଧ୍ୟରେ ୟୁକ୍ରେନକୁ ବିଶ୍ବର ବରିଷ୍ଠ କୂଟନୀତିଜ୍ଞଙ୍କ ଗସ୍ତ ପରେ ଋଷୀୟ ସୈନ୍ୟଙ୍କୁ ଜେଲେନସ୍କି ଜୀବନ ଆଗ, ଯୁଦ୍ଧ ପଛ ବାର୍ତ୍ତା ଦେଇଛନ୍ତି ।

ସେପଟେ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି ଋଷିଆ । ୟୁକ୍ରେନର ୧୭ଟି ସାମରିକ ସ୍ଥଳ ଉପରେ ଆକାଶମାର୍ଗରୁ ଜୋରଦାର ଆକ୍ରମଣ କରିଛି ଋଷ । ଏଥିରେ ୨୦୦ରୁ ଅଧିକ ୟୁକ୍ରେନୀୟ ସୈନ୍ୟ ନିହତ ହୋଇଛନ୍ତି । ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ହିଟ୍ କରିପାରୁଥିବା ଶକ୍ତିଶାଳୀ ରକେଟ ଆକ୍ରମଣରେ କମାଣ୍ଡ ପୋଷ୍ଟ, ଏକ ପଣ୍ୟାଗାର ଧ୍ବଂସ ହେବା ସହ ଅନେକ ସାମରିକ ଭିତ୍ତିଭୂମି ଧ୍ବଂସ ହୋଇଛି । ଏହାସହ ଓଡେଶା ବିମାନବନ୍ଦରରେ ମଧ୍ୟ ହମଲା କରିଛି ଋଷ । କିନ୍ତୁ ୟୁକ୍ରେନଠାରୁ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇଛି । ପୋର୍ଟସିଟି ମାରିୟୁପୋଲରେ ସଂଘର୍ଷ ଜାରି ରହିଥିବା ବେଳେ ଅତି ସଂକଟଜନକ ଅବସ୍ଥାରେ ଫସି ରହିଥିବା 20 ଜଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ମାରିୟୁପୋଲର ଆଜୋଭସ୍ତଲ ଷ୍ଟିଲ ପ୍ଲାଣ୍ଟରେ ରହିଥିବା ୟୁକ୍ରେନୀୟ ସୈନ୍ୟମାନେ ଋଷ ସୈନ୍ୟଙ୍କୁ କଡା ଟକ୍କର ଦେଉଛନ୍ତି । ମାରିୟୁପୋଲରେ ଫସିଥିବା ହଜାର ହଜାର ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟାରେ ନିୟୋଜିତ ହୋଇଛି ଜାତିସଂଘର ସ୍ବତନ୍ତ୍ର ଟିମ୍ । ଏଣେ ବୁଚା ସହର ନିକଟବର୍ତ୍ତୀ ଅଞ୍ଚଳରେ ହାତବନ୍ଧା ଅବସ୍ଥାରେ 3ଟି ମୃତଦେହ ଠାବ କରାଯାଇଛି ।

ୟୁକ୍ରେନକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଅଧିକ ସାମରିକ ସହାୟତା ପାଇଁ ଘୋଷଣା କରିଥିବା ବେଳେ ଜର୍ମାନୀ ମଧ୍ୟ ଅସ୍ତ୍ରଶସ୍ତ୍ର ଦେବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଏହି ନିଷ୍ପତ୍ତି ପ୍ରତିବାଦରେ ଜର୍ମାନୀରେ ଉଠିଛି ବିରୋଧର ସ୍ବର । ଡସଲଡର୍ଫ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜର୍ମାନୀ କାହିଁକି ଏ ଅର୍ଥହୀନ ଯୁଦ୍ଧରେ ନିଜକୁ ସଂପୃକ୍ତ କରୁଛି ବୋଲି ପ୍ରଶ୍ନ କରିଛନ୍ତି ବିକ୍ଷୋଭକାରୀ ।