ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କୀଙ୍କୁ ମାରି ଗଡ଼ାଇଲେ ଭାରତୀୟ ଯବାନ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁପୱାଡା ସେକ୍ଟରରେ ପୁଣିଥରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏଠାରେ ଭାରତୀୟ ସେନା ଏବଂ ପୋଲିସ ମିଳିତ ଅପରେଶନରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଦୁଇ ଆତଙ୍କୀଙ୍କୁ ମାରି ଗଡ଼ାଇଛନ୍ତି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ କୁପୱାଡାର ମାଛିଲ ସେକ୍ଟରର କୁମକାରୀ ହ୍ୱାହାମାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦିଆଯାଇଛି । ଗୁରୁବାର ଏବଂ ଶୁକ୍ରବାର ରାତି ସମୟରେ ୨ ଆତଙ୍କବାଦୀ ପାକିସ୍ତାନ ସୀମା ଦେଇ ଭାରତୀୟ ସୀମାରେ ସୁରଙ୍ଗ ରାସ୍ତାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ ।

ଭାରତୀୟ ସୀମାରେ ମୁତୟନ ଯବାନମାନେ ଅନୁପ୍ରବେଶକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ, ଏହାପରେ ଉଭୟଙ୍କ ମଧ୍ୟ ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଭାରତୀୟ ସେନାକୁ କୌଣସି ପ୍ରକାରର କ୍ଷତି ପହଞ୍ଚିନଥିବା ସୂଚନା । ଜମ୍ମୁ କାଶ୍ମୀର ପୋଲିସର ଇନପୁଟ ଆଧାରରେ ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଛି । ଶବକୁ ଜବତ କରିବା ପାଇଁ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସ୍ଥାନୀୟ ସୂତ୍ରଙ୍କ ମୁତାବିକ ଆହୁରି ଅଧିକ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ଆଶଙ୍କା ରହିଛି ।