ମୃତ୍ୟୁ ଅକସ୍ମାତ୍ ନା ଆତ୍ମହତ୍ୟା: ମୃତ୍ୟୁର କାରଣ ଜାଣିବା ପାଇଁ ମାଟି ଖୋଳି ଶବ ବାହାର କଲା ପୋଲିସ୍

ଚଣ୍ଡିଖୋଲ: ମୃତ୍ୟୁର ସତ ଜାଣିବାକୁ ପୋତା ହୋଇଥିବା ଶବକୁ ଖୋଳିଲା ପୋଲିସ । ଯାଜପୁର ଧର୍ମଶାଳା ଥାନା ଆରୁହା ପଂଚାୟତରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । କାହାକୁ କିଛି ନକହି ମୃତଦେହକୁ ପୋତି ଦେଇଥିଲେ ପରିବାର ବର୍ଗ । ତେବେ ମୃତ୍ୟୁର ସତ ଜାଣିବାକୁ ଶବକୁ ଖୋଳି ଶବବ୍ୟବଛେଦ ପାଇଁ ପଠାଇଛି ପୋଲିସ୍ । ଏହା ସହିତ ଯୁବତୀଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ।

ଯାଜପୁର ଧର୍ମଶାଳାରେ ଚାଞ୍ଚଲ୍ୟ । ମାଟି ତଳୁ ବାହାର କରାଗଲା ମୃତଦେହ । କେମିତି ହେଲା ଯୁବତୀଙ୍କ ମୃତ୍ୟୁ ? ରହସ୍ୟ ଖୋଲିବ ବ୍ୟବଛେଦ ରିପୋର୍ଟ । ମାରି ଦେଲେ ନାଁ ମରିଗଲେ ? ମୃତ୍ୟୁର ସତ ଜାଣିବାକୁ ପୋତା ହୋଇଥିବା ଶବକୁ ବାହାର କରିଛି ଯାଜପୁର ପୋଲିସ । ଗତ ୩୦ତାରଖରେ ଧର୍ମଶାଳା ଥାନା ଆରୁହା ପଂଚାୟତର ସ୍ବର୍ଗତ ଅନନ୍ତ ଜେନାଙ୍କ ଝିଅ ଉପାସନାଙ୍କର ମୃତ୍ୟୁ ହୋଇଥିଲା । କାହାକୁ କିଛି ନକହି ମୃତଦେହକୁ ଶ୍ମାଶନରେ ପୋତି ଦେଇଥିଲେ ପରିବାର ଲୋକ । ଘଟଣାର ସତ ଜାଣିବାକୁ ସ୍ଥାନୀୟ ସରପଞ୍ଚ ଓ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ମୃତ ଦେହକୁ ଖୋଳି ବାହାର କରିଛି ପୋଲିସ୍ ।

ବିଧବା ମା ଓ ଭାଇଙ୍କ ସହ ରହୁଥିଲେ ଉପାସନା । କେମିତି ଝିଅର ମୃତ୍ୟୁ ହେଲା ସେନେଇ ମୁହଁ ଖୋଲୁନାହାନ୍ତି ପରିବାର ଲୋକେ । ପୁରା ଘଟଣାରୁ ପରଦା ହଟାଇବାକୁ ଖୋଳତାଡ ଆରମ୍ବ କରିଛି ପୋଲିସ୍ । ପ୍ରାଥମିକ ପର୍ଯ୍ୟାରେ ମାଆ, ଭାଇଙ୍କୁ ପଚରାଉଚରା କରାଯାଇଛି । ଯଦି ଏହା ଆକସ୍ମିକ ମୃତ୍ୟୁ ଥିଲା ତେବେ ଡାକ୍ତରଖାନା ନନେଇ କାହିଁକି ଶବକୁ ପୋତିଦେଲେ ? ଯଦି ଆତ୍ମହତ୍ୟା ତେବେ ପୋଲିସକୁ ସୂଚନା ଦିଆଗଲାନି କାହିଁକି ? ଏ ସବୁ ଘଟଣା ପରିବାର ବର୍ଗଙ୍କୁ ସନ୍ଦେହ ଘେରକୁ ଆଣିଛି । ଏବେ ଯୁବତୀଙ୍କ ମୃତ୍ୟୁର ସତ କହିବ ଶବ ବ୍ୟବଛେଦ ରିପୋର୍ଟ । ପୋଷ୍ଟମଟମ ରିପୋର୍ଟ ଆସିଲେ ଜଣାପଡିବ ମୃତ୍ୟୁର କାରଣ ।

Leave a Reply