ରତ୍ନଭଣ୍ଡାର ପ୍ରସଙ୍ଗ: ବିଜୟଙ୍କ ତେରେଚ୍ଛା ବାଣ

ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ତେରେଚ୍ଛା ବାଣ ମାରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ରତ୍ନଭଣ୍ଡାର ଖୋଲି ଯାଞ୍ଚ କରିବା ନେଇ ଗଠିତ ନୂଆ କମିଟିକୁ ସେ ସ୍ବାଗତ କରିଛନ୍ତି । କିନ୍ତୁ ପୁରୁଣା କମିଟି ଯେଉଁପରି ଭାଙ୍ଗିଦିଆଗଲା ତାହା ଠିକ୍ ହେଲାନି ବୋଲି କହିଛନ୍ତି । ପୂର୍ବ ଯାଞ୍ଚ କମିଟି ଅଧ୍ଯକ୍ଷ ଜଷ୍ଟିସ ପଶାୟତ ଜଣେ ବରିଷ୍ଠ ଏବଂ ଅଭିଜ୍ଞ ଲୋକ। ତାଙ୍କୁ ଅପମାନଜନକ ଭାବେ ବିଦା କରାଯାଇଛି । ତେଣୁ ନୂଆ କମିଟି ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି ବୋଲି ବିଜୟ କହିଛନ୍ତି । ତେବେ ମନ୍ଦିର ପରିଚାଳନା କମିଟି ତୁରନ୍ତ ରତ୍ନଭଣ୍ଡାର ଷ୍ଟାଟସ ରିପୋର୍ଟ ରତ୍ନଭଣ୍ଡାର କମିଟିକୁ ହସ୍ତାନ୍ତର କରୁ ବୋଲି ସେ ଦାବି କରିଛନ୍ତି ।

୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ତାହା କମିଟି ନିକଟରେ ରହିଛି । ଏହା ପରେ ୧୯୮୨ ଏବଂ ୧୯୮୫ ମସିହାରେ ଆବଶ୍ୟକତା ଦୃଷ୍ଟିରୁ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । କିଛି ଅଳଙ୍କାର ଏବଂ ରୂପା ସେଥିରୁ ବାହାର କରାଯାଇଛି । ସେ ଷ୍ଟାଟସ୍ ରିପୋର୍ଟ ପରିଚାଳନା କମିଟି ନିକଟରେ ରହିଛି । ସେ ରିପୋର୍ଟ ରତ୍ନଭଣ୍ଡାର କମିଟିକୁ ହସ୍ତାନ୍ତର ହେବା ଦରକାର ବୋଲି ବିଜୟ ମହାପାତ୍ର କହିଛନ୍ତି । ଏହା ବ୍ୟତୀତ ଯେତେ ଦିନ ଏଏସଆଇ କାମ କରିବ ସେତିକି ଦିନ ପାଇଁ ଅସ୍ଥାୟୀ ଭଣ୍ଡାର ନିର୍ମାଣ ହେଉ । ଏଥିପାଇଁ ସେ ବିମଳା ମନ୍ଦିର ପଛ ପଟ କିମ୍ବା ମନ୍ଦିର ଭିତର ସାକ୍ଷୀ ଗୋପାଳ ମନ୍ଦିର ପାଖ ସ୍ଥାନକୁ ବାଛିବାକୁ ପରାମର୍ଶ ଦେଇଛନ୍ତି । ଚିହ୍ନଟ କରି କଡ଼ା ସୁରକ୍ଷାର ସହ ରତ୍ନ ସବୁକୁ ରଖାଯାଇପାରିବ । ଏସବୁ ଦିଗ ଉପରେ କମିଟି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ବିଜୟ କହିଛନ୍ତି ।