ଆଜିଠୁ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରୀକ୍ଷେତ୍ରବାସୀ, ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ହେବ ଜଗା ଦର୍ଶନ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରୀକ୍ଷେତ୍ରବାସୀ । ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ତିନି ପର୍ଯ୍ୟାୟରେ କରିବେ ଦର୍ଶନ । ୩, ୬, ୧୧, ୧୨, ୧୪, ୧୫ ଓ ୧୮ ନମ୍ବର ୱାର୍ଡ ବାସିନ୍ଦା ଆଜି ଦର୍ଶନ କରିବେ । ଟୋକନ ଓ ପରିଚୟ ପତ୍ର ଦେଖାଇ ସ୍ୱତନ୍ତ୍ର ବ୍ୟାରିକେଡ୍ ଜରିଆରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିବେ । ଦର୍ଶନ ସାରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ଭିତର, ସିଂହଦ୍ୱାର ଏବଂ କିଓସ୍କ ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ୩ଟି ସେକ୍ଟର କରାଯାଇଛି । ଶ୍ରୀମନ୍ଦିର ଭିତରକୁ ଭକ୍ତ ଫୁଲ, ତୁଳସୀ, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ । ସେହିଭଳି ମନ୍ଦିର ଭିତରେ କୌଣସି ପାର୍ଶ୍ଵ ଦେବଦେବୀ କିମ୍ବା ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ । ସମସ୍ତେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ଗତ୧୨ ଓ ୧୩ ତାରିଖ ଦୁଇଦିନ ସେବାୟତଙ୍କ ପରିବାର ସଦସ୍ୟ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଇଥିଲେ ।

ସେହିପରି ଆଜିଠୁ ପୁରୀ ସ୍ୱର୍ଗ ଦ୍ୱାରରେ ଶବ ସତ୍କାର କରିପାରିବେ ବାହାର ଜିଲ୍ଲାର ଲୋକେ । ଏ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସ୍ୱର୍ଗଦ୍ୱାରରେ ମୃତଦେହ ସହ ୧୦ଜଣ ପ୍ରବେଶ କରିପାରିବେ । ପୂର୍ବରୁ କରୋନା ଲାଗି ସବୁ ଜିଲ୍ଲା ପାଇଁ କଟକଣା ଜାରି ହୋଇଥିଲା । ହେଲେ ଆଜିଠୁ କଟକଣା ଆଉ ଲାଗିବ ନାହିଁ । ତେବେ ମୃତକଙ୍କ କୋଭିଡ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି ।

Leave a Reply