ରାଜ୍ୟରେ ଜାରି ରହିଛି ବର୍ଷା, ୮ ଜିଲ୍ଲାକୁ ୟେଲୋ ଆଲର୍ଟ

ପୁରୀ: ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୂର୍ବ ରାଜସ୍ଥାନରୁ ମଧ୍ୟପ୍ରଦେଶ, ଛତିଶଗଡ, ଦକ୍ଷିଣ ଓଡ଼ିଶା ଦେଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ନିମ୍ନ ଚାପରେଖା ରହିଛି । ଏହା ସହ ଦକ୍ଷିଣ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି । ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ବିଶେଷ କରି କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସମାନ ପାଗ ଜାରି ରହିବ । ଜୁନ୍ ୧୬ ତାରିଖରୁ ୨୬ ତାରିଖ ମଧ୍ୟରେ ୯୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ୯୬.୧ ମିଲିମିଟର ବର୍ଷା ରେକର୍ଡ ହେବା କଥା । ଯାହା ସ୍ୱାଭାବିକ ବର୍ଷାଠାରୁ ୧ ପ୍ରତିଶତ କମ୍ । ୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୩ଟି ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ତେବେ ଆଗାମୀ ଦିନରେ ହେବାକୁ ଥିବା ପ୍ରବଳ ବର୍ଷା ନିଅଣ୍ଟିଆ ବର୍ଷା ଭରଣ କରିବାର ଆଶା କରାଯାଉଛି ।