ପେଗାସସ୍ ମାମଲା: ଅଭିଯୋଗକୁ ଖଣ୍ଡନ କଲା ଇସ୍ରାଏଲୀ ଟେକ୍ନୋଲୋଜି ଫାର୍ମ ଏନଏସଓ ଗ୍ରୁପ
ନୂଆଦିଲ୍ଲୀ: ପେଗାସସ ଝଡ ଜାରି ରହିଥିବା ବେଳେ ଇସ୍ରାଏଲୀ ଟେକ୍ନୋଲେଜି ଫାର୍ମ ଏନଏସଓ ଗ୍ରୁପ ଏସବୁକୁ ଅସ୍ୱୀକାର କରିଛି । ଏନଏସଓ ଗ୍ରୁପ ଅନୁସାରେ ଯେଉଁ ସଫ୍ୱଓ୍ୱେରରେ କିଛି ଭାରତୀୟ ନେତା, ସାମ୍ବାଦିକ, ମନ୍ତ୍ରୀ, ବିଚାରପତିଙ୍କ ଫୋନ ନମ୍ବରକୁ ଟାର୍ଗେଟ କରାଯାଇଛି ବୋଲି ଅଭିଯୋଗ ଆସୁଛି, ସେହି ସଫ୍ୱଓ୍ୱେର ଆମର ନୁହେଁ ।
ଆମ ସଫ୍ୱଓ୍ୱେର ଦ୍ୱାରା ପୂର୍ବରୁ ବି କେବେ କାହାକୁ ଟାର୍ଗେଟ କରାଯାଇ ନଥିଲା । କମ୍ପାନୀର ମୁଖପାତ୍ର କହିଛନ୍ତିଯେ, ପ୍ୟାରିସ ସ୍ଥିତ ସଂଗଠନ ଫରବିଡେନ ଷ୍ଟୋରିଜ ପକ୍ଷରୁ ପ୍ରକାଶିତ ନାମ ତାଲିକା ସହ କମ୍ପାନୀ ସ୍ପାଇ ଓ୍ୱେୟାରର କୌଣସି ସମ୍ପର୍କ ନାହିଁ । ଆମେନଷ୍ଟି ଇଣ୍ଟରନ୍ୟାସନାଲ ସହ କାର୍ଯ୍ୟ କରୁଥିବା ଏହି ସଂସ୍ଥା 50 ହଜାର ଫୋନର ଯେଉଁ ଡାଟାବେସ ପ୍ରସ୍ତୁତ ବୋଲି କୁହାଯାଉଛି ତାହା ସହ ସ୍ପାଇଓ୍ୱେୟାରର କୌଣସି ସମ୍ପର୍କ ନାହିଁ ।
ଏହି ଫୋନ ନମ୍ବର ଗୁଡିକ ସହ ଏନଏସଓ ଗ୍ରୁପର ସମ୍ପର୍କ ନାହିଁ ବା କେବେ ଟାର୍ଗେଟରେ ନଥିଲା । କୌଣସି ନମ୍ବରର ଗୋପନୀୟତାକୁ ଟାର୍ଗେଟ କରିବାକୁ କେବେ ବି କମ୍ପାନୀ ଚେଷ୍ଟା ବି କରିନାହିଁ । ଯଦି ଏହାର ପ୍ରଯୁକ୍ତିକୁ ଅପବ୍ୟବହାର କରାଯାଇଥାଏ ଏବଂ ସ୍ପଷ୍ଟ ପ୍ରମାଣ ମିଳେ ତେବେ ଏହାର ସବିଶେଷ ତଦନ୍ତ କରିବେ କମ୍ପାନୀ କର୍ତ୍ତୃପକ୍ଷ ।
ସୂଚନାଯୋଗ୍ୟ ଗତ ସୋମବାର 300ରୁ ଅଧିକ ଭାରତୀୟ ନେତା, ମନ୍ତ୍ରୀ, ସାମ୍ବାଦିକ, ବିଚାରପତି ଆଦିଙ୍କ ଫୋନ ହ୍ୟାକ କରାଯ଼ାଇଛି ବୋଲି ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଝଡ ସୃଷ୍ଟି ହୋଇଥିଲା ।