ଭୟଙ୍କର ହେଉଛି ଇସ୍ରାଏଲ-ହମାସ ବିବଦ: ଗାଜାର ବିଭିନ୍ନ ସହରରେ ପଡ଼ିଛି ଇସ୍ରାଏଲ ଲୋକଙ୍କ ଶବ

1 min read

ନୂଆଦିଲ୍ଲୀ: ଭୟଙ୍କର ହେବାରେ ଲାଗିଛି ହମାସ-ଇସ୍ରାଏଲ ବିବାଦ । ହମାସ ଆକ୍ରମଣରେ ଇସ୍ରାଏଲରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ଯା ୫୦୦ରେ ପହଞ୍ଚିଛି । ଉଭୟ ପକ୍ଷର ଆହତଙ୍କ ସଂଖ୍ୟା ୩ ହଜାର ଟପିଛି । ସେପଟେ ଗାଜାକୁ ମାଟିରେ ମିଶାଇବା ଲାଗି ଆକ୍ରମଣକୁ ଘମାଘୋଟ କରାଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ । ଇସ୍ରାଏଲର ଆକ୍ରମଣରେ ଗାଜାରେ ୨୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଗତକାଲି ଇସ୍ରାଏଲ ଉପରେ ହମାସ ଜଳ, ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରିଥିଲା । ଇସ୍ରାଏଲର ଅଭେଦ ସୁରକ୍ଷା ବଳୟକୁ ପାର କରି ହମାସର ଏହି ଆକ୍ରମଣ ସାରା ବିଶ୍ବକୁ ଚକିତ କରିଛି । ହମାସ ଅନେକ ଇସ୍ରାଏଲ ସୈନିକଙ୍କୁ ଧରିଥିବା ଦାବି କରିଛି ।

ସେପଟେ ସୀମା ଡେଇଁ ହମାସ ଗୋଷ୍ଠୀ ଗଣହତ୍ୟା ଚଳାଇଥିବା ଅଭିଯୋଗ କରିଛି ଇସ୍ରାଏଲ । ଇସ୍ରାଏଲ ନିରାପତ୍ତା ବାହିନୀ ଓ ହମାସର ଶହ ଶହ ସୈନିକ ଗୁଳି ବିନିମୟରେ ଲିପ୍ତ ଥିବା ସୂଚନା ମିଳିଛି । ହମାସକୁ ସମ୍ପୂର୍ଣ୍ଣ ମୂଳପୋଛ କରାଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ । ଗତକାଲି ଉଗ୍ର ଇସଲାମିକ ସଂଗଠନ ପକ୍ଷରୁ ତେଲ ଆଭିବ, ଜେରୁଜେଲମ ଉପରେ ୫ ହଜାରରୁ ଅଧିକ ରକେଟ ମାଡ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ଏହି ହମଲା ବେଳେ କାମ କରି ନଥିଲା ଇସ୍ରାଏଲର ଡୋମ ଡିଫେନ୍ସ ସିଷ୍ଟମ । ହମାସ ଗାଜାର ସିକ୍ୟୁରିଟି ବ୍ୟାରିୟର ହଟାଇ ସେଠାରେ ବହୁ ଇସ୍ରାଏଲୀ ସହର, ସାମରିକ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ସହ ଲୋକଙ୍କ ଉପରେ ଆଖିବୁଜା ଆକ୍ରମଣ କରିଛନ୍ତି । ଗାଜାର ଅନେକ ସହରରେ ମୃତ ଇସ୍ରାଏଲୀଙ୍କ ଶବ ପଡିଥିବା ସୂଚନା ମିଳିଛି । ହମାସ ନେତା ଓସାମା ହାମଦାନ କହିଛନ୍ତି, ଏହି ଆକ୍ରମଣକୁ ଅଧିକ ଜୋରଦାର କରାଯିବ । ପାଲେଷ୍ଟିନୀୟ ଅଞ୍ଚଳରୁ ଇସ୍ରାଏଲ ବିଦା ହେବା ଯାଏଁ ସଂଘର୍ଷ ଜାରି ରହିବ ।

ସେପଟେ ହମାସ ବିରୋଧରେ ଗର୍ଜିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ହମାସକୁ ଦମନ ଲାଗି ଇସ୍ରାଏଲକୁ ସାମରିକ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି ବାଇଡେନ । ଏହାସହ ସାଉଦି ଆରବ ଓ ଇସ୍ରାଏଲ ମଧ୍ଯରେ ଭଲ ସମ୍ପର୍କ ଲାଗି ସେ ଉଦ୍ୟମ କରିବା ସହ ସାଉଦିଆରବ ସହ ପ୍ରତିରକ୍ଷା ରାଜିନାମାକୁ ଗୁରୁତ୍ବ ଦେଇଛନ୍ତି ।